'ପ୍ରତୀକ୍ଷା' ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଭେଟି 'ଦଶାହ'
ଓଲିଉଡର ଚର୍ଚ୍ଚିତ ତଥା ଲୋକପ୍ରିୟ ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ଅପାର ସଫଳତା ପରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିଜର ଆଗାମୀ ସିନେମା 'ଦଶାହ' ଘୋଷଣା କରିଛନ୍ତି। ରବିବାର 'ପ୍ରତୀକ୍ଷା'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅବସରରେ ଏହି ରହସ୍ୟମୟ ଏବଂ ଭାବପୂର୍ଣ୍ଣ ଚଳଚ୍ଚିତ୍ରର ଘୋଷଣା କରାଯାଇଛି।
'ଦଶାହ' କେବଳ ଏକ ସିନେମା ନୁହେଁ, ବରଂ ଏହା ଓଡ଼ିଶାର ମାଟି, ପରମ୍ପରା, ଆବେଗ ଏବଂ ଜୀବନ-ମୃତ୍ୟୁର ରହସ୍ୟ ଉପରେ ଆଧାରିତ ଏକ ନିଆରା କାହାଣୀ। "କିଛି ବିଦାୟ କେବେ ବି ଅନ୍ତିମ ନୁହେଁ" - ଏହି ସ୍ପର୍ଶକାତର ଟ୍ୟାଗଲାଇନ୍ ସହ ନିର୍ଦ୍ଦେଶକ ଦର୍ଶକଙ୍କୁ ଏକ ଅଦେଖା ଦୁନିଆକୁ ନେଇଯିବାର ସଙ୍କେତ ଦେଇଛନ୍ତି। ଯେଉଁମାନେ 'ପ୍ରତୀକ୍ଷା'କୁ ନିଜର କରିଥିଲେ, ସେହି ସିନେପ୍ରେମୀଙ୍କ ଉଦ୍ଦେଶ୍ୟରେ ଅନୁପମ ଏହି ନୂଆ ପ୍ରୋଜେକ୍ଟକୁ ଉତ୍ସର୍ଗ କରିଛନ୍ତି।
ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ ଏବଂ ଶୁଭମ୍ ସିନେ ପ୍ରଡକ୍ସନ୍ସର ମିଳିତ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ବର୍ଷା ପଟ୍ଟନାୟକ ଏବଂ ସଂଘମିତ୍ରା ବେହେରା। ଯଦିଓ ଫିଲ୍ମର ଷ୍ଟାରକାଷ୍ଟ୍ ଏବଂ କାହାଣୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ସୁଦ୍ଧା ଗୋପନ ରଖାଯାଇଛି, ତଥାପି ନିର୍ମାତାଙ୍କ ପକ୍ଷରୁ "ପ୍ରତୀକ୍ଷାର ଦୁନିଆରୁ..." ବୋଲି ଦିଆଯାଇଥିବା ସୂଚନା ଦୁଇଟି ଚଳଚ୍ଚିତ୍ର ମଧ୍ୟରେ ଏକ ସୃଜନଶୀଳ ସଂଯୋଗ ଥିବାର ଇଙ୍ଗିତ ଦେଉଛି।
ନିଜର ନିଖୁଣ କାହାଣୀ କହିବାର ଶୈଳୀ ପାଇଁ ପ୍ରଶଂସା ସାଉଁଟିଥିବା ଅନୁପମ ପଟ୍ଟନାୟକ, ଏବେ 'ଦଶାହ' ଜରିଆରେ ମୃତ୍ୟୁ ପରର ରହସ୍ୟ ଓ ପାରମ୍ପରିକ ଆବେଗକୁ ପରଦାରେ ଜୀବନ୍ତ କରିବାକୁ ଯାଉଛନ୍ତି। ଏହି ଘୋଷଣା ସିନେମା ଜଗତରେ ଏକ ନୂଆ ଉତ୍ସାହ ଖେଳାଇ ଦେଇଥିବା ବେଳେ, ଦର୍ଶକ ଏବେ ଏହି ନୂତନ ଯାତ୍ରାକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।ଚଳଚ୍ଚିତ୍ର ର ପ୍ରଚାର ପ୍ରସାର ଦା଼ୟିତ୍ବରେ ଅଛନ୍ତି ପ୍ରଣୟ ଜେଠୀ।




