ଆଦିବାସୀ ଏକତା ମଞ୍ଚ ପକ୍ଷରୁ ୪୮ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା

ଆଦିବାସୀ ଏକତା ମଞ୍ଚ ପକ୍ଷରୁ ୪୮ ଘଣ୍ଟିଆ ବାମନଘାଟି ବନ୍ଦ ଡାକରା
Samaya Live News Picture
Published On

ରାଇରଙ୍ଗପୁର: ୪୮ ଘଣ୍ଟିଆ ବାମନଘାଟି ବନ୍ଦ । ଆନ୍ଦୋଳନକାରୀଙ୍କୁ ଖଲାସ ଦାବିରେ ୪୮ ଘଣ୍ଟିଆ ବାମନଘାଟି ବନ୍ଦ ପାଳନ କରୁଛି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ । ଶୁକ୍ରବାର ସକାଳ ୬ରୁ ରବିବାର ସକାଳ ୬ ପର୍ଯ୍ୟନ୍ତ ବନ୍ଦ ଡାକରାର ପ୍ରଭାବ ପଡିଛି। ସକାଳୁ କର୍ମକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ସଫଳ କରିଛନ୍ତି। ରାଇରଙ୍ଗପୁର ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରାଯିବା ଫଳରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ରାଇରଙ୍ଗପୁର ତିରିଂ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦ ବେଳେ ପୋଲିସ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ମୁକ୍ତ କରିବାକୁ ଦାବି କରିଛି ମଞ୍ଚ । 

ସୂଚନାନୁସାରେ, କିଛିଦିନ ତଳେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଝୁଆ ଗ୍ରାମ ପାଲଟିଥିଲା ରଣକ୍ଷେତ୍ର । ଜଣେ ସଂଖ୍ୟାଲଘୁ ଯୁବକ ଜନୈକା ଆଦିବାସୀ ନାବାଳିକାକୁ ଅସଦାଚରଣ ଉଦ୍ୟମ କରିବାରୁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଭିଆଇଥିଲେ ଲଙ୍କାକାଣ୍ଡ । ବିକ୍ଷୋଭ ବେଳେ ପୋଲିସ ଜନତା ଖଣ୍ଡଯୁଦ୍ଧ ଭୟଙ୍କର ରୂପ ନେଇଥିଲା । ଯାହାକୁ ନେଇ ପୋଲିସ ଲାଠିଚାର୍ଜ କରିବାରୁ ଗ୍ରାମବାସୀ ଓ ପୋଲିସ ମୁଁହାମୁହିଁ ହୋଇଥିଲେ। ଏଥି ସହିତ ବହଳଦା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ସହ ଓଲଟାଇ ଦେଇଥିଲେ। ଏହି ଘଟଣାରେ ୩୪ଜଣ ଆଦିବାସିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ସମସ୍ତ ୩୪ ଜଣଙ୍କୁ ନିର୍ଦୋଷରେ ଖଲାସ କରିବାକୁ ଦାବି କରି ମୟୁରଭଞ୍ଜ ଆଦିବାସି ଏକତା ମଞ୍ଚ ୪୮ଘଣ୍ଟିଆ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦେଇଛି  । 

ସେପଟେ ରାଜପଥ ବନ୍ଦ ଯୋଗୁଁ ରାଇରଙ୍ଗପୁରରୁ ବାରିପଦାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଟ୍ରକ, ବସ, ଚାରି ଚକିଆ ଯାନ, ତିନି ଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବସ୍ ବନ୍ଦ ଯୋଗୁଁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। 

Tags: