ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଗିରଫ
ଭୁବନେଶ୍ୱର : ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ ବିଭାଗ । ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ବାବୁଙ୍କ ଘରୁ ମିଳିଥିଲା ନଗଦ ୬.୨୩ ଲକ୍ଷ ଟଙ୍କା । ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍ ସହ ୩୫୦ ଗ୍ରାମ ସୁନା ଠାବ ହୋଇଥିଲା । ବହୁତଳ କୋଠା ସହ ୮ଟି ପ୍ଲଟ୍ ଓ ଗୋଟିଏ ଫାର୍ମ ହାଉସ୍ ମଧ୍ୟ ଠାବ ହୋଇଥିଲା ।
ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ଗତକାଲି ଭିଜିଲାନ୍ସ ପକ୍ଷରୁ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ଠିକଣା ଚଢାଉ କରିଥିଲା ଭିଜିଲାନ୍ସ । ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ୮ ନମ୍ବର ଲେନ୍ରେ ଏକ ତିନି ମହଲା କୋଠା ରହିଛି । ଏହା ପ୍ରାୟ ୩ ହଜାର ବର୍ଗଫୁଟ ଜାଗା ଉପରେ ତିଆରି ହୋଇଛି । ଢେଙ୍କାନାଳର ଭାପୁରର ବିମ୍ବୋଳରେ ଏକ ଫାର୍ମ ହାଉସ୍ ରହିଛି । ୧ ଏକର ୭୧ ଡିସିମିଲ୍ର ଜାଗାରେ ଏହି ଫାର୍ମ ହାଉସ୍ଟି ରହିଛି । ଫାର୍ମ ହାଉସ୍ରେ ଥିବା ଦ୍ୱିମହଲା କୋଠାଟି ୪୦୦୦ ବର୍ଗଫୁଟ୍ ଜାଗାରେ ନିର୍ମାଣ କରାଯାଇଛି । ଚଢ଼ାଉ ସମୟରେ ବାବୁଙ୍କ ଘରୁ ମିଳିଛି ୧୩ ଲକ୍ଷ ୪୭ହଜାର ଟଙ୍କାର ବିମାନ ଟିକେଟ୍ । ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇ ସେ ଏହି ଖର୍ଚ୍ଚ କରିଥିବା ଜଣାପଡ଼ିଛି । ସେହିଭଳି ବାବୁଙ୍କ ଘରୁ ୨୦ରୁ ଅଧିକ ଦାମୀ ହାତଘଣ୍ଟା, ୨ଟି ଦାମୀ କାର୍, ଦୁଇଟି ବାଇକ୍ ଜବତ ହୋଇଛି ।



