ଶିଶୁ ବିକ୍ରି ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ
ଭଦ୍ରକ : ୪୦ ଦିନର ଶିଶୁ କନ୍ୟା ବିକ୍ରି ଘଟଣା । ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚି ଆଲୋଚନା କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ । ଶିଶୁ କନ୍ୟାର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଆଜି CWCରେ ମାଆ, ଶିଶୁ କନ୍ୟା, ପରିବାରର ସଦସ୍ୟ ଉପସ୍ଥାପନ କରାଯିବା ନେଇ ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ଗତ ମଙ୍ଗଳବାର ଦିନ ଭଦ୍ରକ ବୟାବନାପୁର ଗାଁର ସିପୁ ଦାସ ଓ ତାଙ୍କ ପତ୍ନୀ ନିଜ ଦେଢ଼ ମାସର ଶିଶୁକନ୍ୟାକୁ ହସ୍ପିଟାଲ ନେବାକୁ କହି ଘରୁ ନେଇଯାଇଥିଲେ । ତେବେ ଘରକୁ ଫେରିବାବେଳେ ତାଙ୍କ ପାଖରେ ଶିଶୁ କନ୍ୟାକୁ ନଦେଖି ପିଲାର ଜେଜେମା' ସାବିତ୍ରୀ ପୁଅ-ବୋହୁଙ୍କୁ ପଚାରିଥିଲେ । ତେବେ ସେମାନଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ଏନେଇ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଥିଲେ । ଘଟଣାର ତୁରନ୍ତ ଛାନଭିନ କରି ଗତକାଲି କଟକରୁ ସାବିତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ଶିଶୁଟିକୁ ଉଦ୍ଧାର କରିଥିଲା ପୋଲିସ । ତେବେ ଆର୍ଥିକ ଅନଟନ ଯୋଗୁଁ ନିଜ ଜନ୍ମ କଲା ପିଲାକୁ ମାତ୍ର ୩୫ ହଜାର ଟଙ୍କାରେ ବିକ୍ରି କରିଥିବା ନେଇ ସ୍ୱୀକାର କରିଥିଲେ ପିଲାର ବାପା ମା' । ପରେ ଶିଶୁକନ୍ୟାକୁ କଟକରୁ ଉଦ୍ଧାର କରି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଥିଲା ଭଣ୍ଡାରିପୋଖରୀ ପୋଲିସ ।



