ହାତୀ ମୃତ୍ୟୁ ମଣିଷ କୃତ ହୋଇଥିଲେ ଆକ୍ସନ ନିଆଯିବ - ମନ୍ତ୍ରୀ

ହାତୀ ମୃତ୍ୟୁ ମଣିଷ କୃତ ହୋଇଥିଲେ ଆକ୍ସନ ନିଆଯିବ - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ବର : ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା ହାତୀ । ଦାରୁଠେଙ୍ଗ ଭୁଆସୁଣୀ ମୌଜା ବରବାରି କାଢୁବାରି ରାସ୍ତା ପାଖ ଜଙ୍ଗଲରୁ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଏକ ମକେନା ହାତୀକୁ ଶୁକ୍ରବାର ସକାଳେ ଚନ୍ଦକା ବନବିଭାଗ ଠାବ କରିଥିଲେ । ପରେ ନନ୍ଦନକାନନର ଏକ ଡ଼ାକ୍ତରୀ ଦଳଙ୍କୁ ଡାକି ପ୍ରାଥମିକ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ଶୁକ୍ରବାର ରାତିରେ ହାତୀଟିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମାକେନାର ହର୍ପିସ ହୋଇଥିବା ନେଇ ଆଶଙ୍କା କରାଯାଉଥିଲା ।  ତେବେ କେଉଁ କାରଣ ପାଇଁ ହାତୀଟିର ମୃତ୍ୟୁ ଘଟିଛି ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ଚନ୍ଦକା ଡିଏଫଓ ସୂଚନା ଦେଇଛନ୍ତି । 

ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ହାତୀର ମୃତ୍ୟୁ ମଣିଷ କୃତ  ହୋଇଥିଲେ ତଦନ୍ତ ହୋଇ ଆକ୍ସନ ନିଆଯିବ । ପରିବେଶର ପରିବର୍ତ୍ତନ ଓ ଅସାମାଜିକ ମଣିଷର ପ୍ରାର୍ଦୁଭାବ ପାଇଁ ନିରୀହ ପ୍ରାଣୀର ଜୀବନ ଯାଉଛି । ପରିବେଶ ପରିବର୍ତ୍ତନ ମଣିଷ ଓ ଜୀବଜନ୍ତୁ ପାଇଁ କ୍ଷତିକାରକ । ତେବେ ରାଜ୍ୟରେ ଅନେକ ଜୀବଜନ୍ତୁଙ୍କ ସଂଖ୍ୟା ବଢୁଛି ହେଲେ ଅନ୍ୟ କିଛି ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ହେଉ କିମ୍ବା ପରିବେଶ ପରିବର୍ତ୍ତନ ପାଇଁ ହେଉ ଯେଉଁଠି ହାତୀ ବା ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଉଛି ତାକୁ ନେଇ ବିଭାଗ ତଦନ୍ତ ଜାରି ରଖିଛି । ଏବେ ରାଜ୍ୟରେ ହାତୀ ସଂଖ୍ୟା ପ୍ରାୟତଃ ୨୧୧୦ ରହିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଆମ ବିଭାଗ ସଜାଗ ଅଛି । ଟିମ୍ ତଦନ୍ତ କରିବ, ତଦନ୍ତ ରିପୋର୍ଟ ଆସିଲେ ଆକ୍ସନ ନେବ ବିଭାଗ ।

Tags: