ପିଲାଙ୍କୁ ବିଛୁଆତି ଲଗାଇବା ଏବଂ ଲୁଣ ଭାତ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ - ମନ୍ତ୍ରୀ
ଭୁବନେଶ୍ୱର : ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ଲଗାଇବା ଓ ମଧ୍ୟାହ୍ନ ଭୋଜନରେ ଲୁଣ ଭାତ ଖାଇବାକୁ ଦେବା ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ। ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଏପରି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଉଭୟ ଘଟଣାର ତଦନ୍ତ ହେବ ଏବଂ ସତ୍ୟାସତ୍ୟ ଜଣାପଡ଼ିଲେ କଡ଼ା ଆକ୍ସନ୍ ହେବ। ଯାଜପୁରର ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ବିଛୁଆତି ଦଣ୍ଡ ଦେଇଥିବାବେଳେ ବାଲିଗୁଡ଼ାର ଏକ ସ୍କୁଲ୍ରେ ପିଲାଙ୍କୁ ଭାତ, ଲୁଣ ଦିଆଯିବାର ଅଭିଯୋଗ ଆସିଛି । ବିଛୁଆତି ଦଣ୍ଡ ଘଟଣାରେ ଆଜି ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଏବଂ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ ଆଉ ଲୁଣ ଦିଆଯିବା ଘଟଣାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତକୁମାର କହଁରଙ୍କୁ ନିଲମ୍ବନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତ ଅନ୍ତର୍ଗତ ଶିମିଳିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଭାତ ସହ ଡ଼ାଲି ଦିଆଯିବା ପରିବର୍ତ୍ତେ ଭାତ ସହ ଲୁଣ ଖାଇବାକୁ ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତୁମୁଡିବନ୍ଧ ବିଇଓ ଗଣେଶ ପ୍ରଧାନ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏବିଇଓ ଡମ୍ବରୁଧର ସାହୁ ଓ ଝିରିପାଣି ସିଆର୍ସିସି ଭାସ୍କର ଚନ୍ଦ୍ର ସଂଗ୍ରାମସିଂଙ୍କୁ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଘଟଣାର ତଦନ୍ତ କରି ରିପୋର୍ଟ ତୁମୁଡିବନ୍ଧ ବିଇଓଙ୍କୁ ପ୍ରଦାନ କରିଥିଲେ। ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ବିଇଓ ଶ୍ରୀ ପ୍ରଧାନ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ କୁମାର କହଁରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ପ୍ରଧାନ ଶିକ୍ଷକ ମୋହନ ମୁରାରୀ ସିଂଙ୍କ ଉପରେ ଡ୍ରାଫ୍ଟ ଚାର୍ଜ କରିଛନ୍ତି।



