ପ୍ରମାଣପତ୍ର ପାଇଁ ନାମଲେଖାରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ପ୍ରମାଣପତ୍ର ଅଭାବରୁ କୌଣସି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖାରୁ ବଞ୍ଚିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ । ପିଲାଙ୍କ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ । ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ରାଜସ୍ୱ ସଚିବ ଡଃ ଅରବିନ୍ଦ ପାଢ଼ୀ। ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଆବେଦନକାରୀଙ୍କ ସମ୍ୱନ୍ଧୀୟ ତଥ୍ୟ ସହିତ ଦରଖାସ୍ତ ଉପରେ ଅଧିକାରୀମାନେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବେ।ସ୍ଥାୟୀବାସିନ୍ଦା ଓ ଆୟ ପ୍ରମାଣପତ୍ର ପାଇଁ ଆବେଦନକାରୀ ଏକ ଘୋଷଣାପତ୍ର ଦାଖଲ କରୁଥିବାରୁ ସେଗୁଡ଼ିକୁ କୌଣସି ଅନାବଶ୍ୟକ ବିଳମ୍ବ ନକରି ତୁରନ୍ତ ପ୍ରଦାନ କରାଯିବ।
ସେହିପରି ,ଜାତି ପ୍ରମାଣପତ୍ର ସମ୍ବନ୍ଧୀୟ କ୍ଷେତ୍ରୀୟ ଯାଂଚ ତୁରନ୍ତ ଗ୍ରାମ୍ୟସ୍ତରରେ କରିବାକୁ ଡଃ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଜାତି ପ୍ରମାଣପତ୍ର ସମ୍ବନ୍ଧୀୟ କୌଣସି ଆବେଦନର କ୍ଷେତ୍ରୀୟ ଯାଂଚ ପ୍ରକ୍ରିୟା ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କ ପାଖରେ ତିନି ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ । ଯଥାସମ୍ଭବ ସରକାରୀ କାଗଜପତ୍ର ଓ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ତଥ୍ୟ ଯାଂଚ କରି ନିଷ୍ପତ୍ତି ଗ୍ରହଣ କରିବାକୁ ଡଃ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସାର୍ଟିଫିକେଟ୍ ବା ପ୍ରମାଣପତ୍ର ସଂକ୍ରାନ୍ତରେ ଉପଜିଲ୍ଲାପାଳ ନିଜେ ପ୍ରତିଦିନ ତଦାରଖ କରିବା ସହ କୌଣସିସ୍ତରରେ ଯଦି ଅଯଥା ବିଳମ୍ବ ଘଟୁଥାଏ, ସେ କ୍ଷେତ୍ରରେ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ଅତିରିକ୍ତ ଜିଲ୍ଲାପାଳମାନେ ପ୍ରତି ୭ଦିନରେ ଓ ଜିଲ୍ଲାପାଳ ପ୍ରତି ୧୫ ଦିନରେ ଏବଂ ଆରଡିସି ପ୍ରତି ମାସରେ ତହସିଲସ୍ତରୀୟ ସମୀକ୍ଷା ବୈଠକ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି। ତହସିଲ କାର୍ଯ୍ୟାଳୟରୁ ଆୟ,ଜାତି ଓ ବାସିନ୍ଦା ପ୍ରମାଣପତ୍ର ପାଇବାରେ ବିଳମ୍ବ ଯୋଗୁ ଯଦି କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଂଚିତ ହେଲେ ଏହାକୁ ଗୁରୁତର ସହ ବିଚାରକୁ ନିଆଯାଇ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଦରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ନିର୍ଦେଶ ରହିଛି l



