ବିକଶିତ ଓଡିଶା ପାଇଁ ଆକ୍ସନ ପ୍ଲାନ,ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ପ୍ରସ୍ତୁତି ହୋଇଥିବା ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା ଓ ଏ ନେଇ ନିର୍ଦ୍ଧାରିତ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ) କୁ ସରଳୀକରଣ କରି କାର୍ଯ୍ୟ ଅଗ୍ରଗତି କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ସେହିପରି ଆଗାମୀ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି ।
ଆଗାମୀ ଜୁନ୍ ୨୦୨୬ ସୁଦ୍ଧା ୬୫,୦୦୦ ନିଯୁକ୍ତି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନୂତନ ସରକାର ଗଠନ ପରେ ଅଦ୍ୟାବଧି ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ନିଯୁକ୍ତି ମେଳା ମାଧ୍ୟମରେ ୩୯,୫୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା । ୩ ମାସ ମଧ୍ୟରେ ଆଉ ୩୪,୬୪୧ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତାବ ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ ବିନ୍ଦୁ କାର୍ଯ୍ୟସୂଚୀ ମଧ୍ୟରେ ଭିଜନ ଡକ୍ୟୁମେଣ୍ଟ ଲକ୍ଷ୍ୟ କାର୍ଯ୍ୟକାରୀ କରିବା ଅନ୍ୟତମ ପ୍ରାଥମିକତା ରହିଥିବାରୁ ଓଡ଼ିଶାର ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ ପାଇଁ ଏଥିପ୍ରତି ସମସ୍ତ ବିଭାଗମାନେ ଗୁରୁତ୍ୱ ଦେବା ଓ ନିୟମିତ ସମୀକ୍ଷା ସଂପର୍କରେ ମୁଖ୍ୟ ସଚିବ ଆଲୋଚନା କରି ପରାମର୍ଶ ଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ “୩୬ ଫର ୩୬” ପ୍ରମୁଖ ପଦକ୍ଷେପ ଅନ୍ତର୍ଗତ ପ୍ରତ୍ୟେକ ଜିଲ୍ଲାରେ ସନ୍ତୁଳିତ ଓ ସମୟବଦ୍ଧ ବିକାଶ ଉପରେ ଗୁରୁତ୍ୱ ଦେଇ ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ସମୀକ୍ଷା ଓ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ବୈଠକରେ ମୁଖ୍ୟ ସଚିବ ବିଭିନ୍ନ ବିଭାଗରେ ଖାଲିଥିବା ପଦବି ପୂରଣ ନେଇ ପଦକ୍ଷେପ ନେବାକୁ କହିଛନ୍ତି। ଜୁନ୍ ୨୦୨୬ ସୁଦ୍ଧା ୬୫ ହଜାର ସରକାରୀ ନିଯୁକ୍ତି ଟାର୍ଗେଟ୍ ପୂରଣ କରିବାକୁ କହିଛନ୍ତି।



