ଅନୈତିକ କାର୍ଯ୍ୟ ପାଇଁ ସେବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା
ପୁରୀ: ଯୁବ ଦଇତାପତି ସେବାୟତ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ । ଅନୈତିକ କାର୍ଯ୍ୟରେ ଲିପ୍ତ ତଥା ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଦଇତାପତି ସେବାୟତଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶରେ କଟକଣା ଲାଗୁ କରିବା ସହ ସେବାରୁ ନିଲମ୍ବନ କରିଛନ୍ତି ।
ସୂଚନାନୁସାରେ, ସମ୍ପୃକ୍ତ ସେବକ ଶ୍ରୀ ଦାସମହାପାତ୍ର ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ମାର୍ଚ୍ଚ ୩୧ ତାରିଖରେ ଗିରଫ ହୋଇଥିଲେ । ଏହି ଘଟଣାରେ ପ୍ରବଳ ପଇସା କାରବାର ହୋଇ ମାମଲାକୁ ରଫା ଦଫା କରାଯାଇଥିଲା । ଘଟଣାଟି ପୁରୀ ସମେତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଗୁରୁବାର ଶ୍ରୀମନ୍ଦିର ଆଇନ ଅନୁଯାୟୀ ଉକ୍ତ ଯୁବ ଦଇତାପତିଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଅନ୍ୟାଦେଶ ପର୍ଯ୍ୟନ୍ତ ନିଲମ୍ବନ ଅବଧି ବଳବତ୍ତର ରହିବ । ସମ୍ପୃକ୍ତ ସେବକ ସେବାରୁ ବଞ୍ଚିତ ହେବା ସହିତ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ନିଷେଧାଜ୍ଞା ଜାରି କରାଯାଇଛି । ଶ୍ରୀମନ୍ଦିରର ପ୍ରାୟତଃ ସେବକଙ୍କ ଆଚାର ବ୍ୟବହାର ସଠିକ୍ ଯୋଗୁଁ ନୀତିକାନ୍ତି ସମ୍ପାଦନ ଶୃଙ୍ଖଳିତ ହୋଇପାରୁଛି। କିନ୍ତୁ କିଛି ସେବକଙ୍କ ଅବାଞ୍ôଛତ କାର୍ଯ୍ୟକଳାପ ସମଗ୍ର ସେବକସମାଜକୁ ବଦନାମ୍ କରୁଥିବା ଦର୍ଶାଇ କୌଣସି ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ।



