ପ୍ରିୟଙ୍କା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ପ୍ରିୟଙ୍କା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
Samaya Live News Picture
Published On

ଭୁବନେଶ୍ୱର : ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲା । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ । ୨୦୨୧ ମସିହା ଜୁଲାଇ ମାସରେ ଭୁବନେଶ୍ୱରର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିରେ ପ୍ରିୟଙ୍କାଙ୍କୁ ବୀଭତ୍ସ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ପ୍ରେମିକ ଜଗନ୍ନାଥ ପ୍ରଧାନ । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ବର ଏଡିଜେ-୩ । 

ସୂଚନାନୁସାରେ, ଏକତଫା ପ୍ରେମକୁ ନେଇ ୨୦୨୧ମସିହା ଜୁଲାଇ ମାସରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଭୁବନେଶ୍ୱର ଭିମଟାଙ୍ଗିରେ ୩ବର୍ଷ ପୁଅ ଓ ସ୍ୱାମୀଙ୍କ ସହିତ ରହୁଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ। ତାଙ୍କୁ ଯାଜପୁର ଅଞ୍ଚଳର ଜଗନ୍ନାଥ ପ୍ରଧାନ ଏକ ତରଫା ପ୍ରେମ କରୁଥିଲେ । ଘଟଣାର ୪ ଦିନ ପୂର୍ବରୁ ସେ ହତ୍ୟାର ଯୋଜନା କରିଥିଲା ।  ଘଟଣା ଦିନ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ଯିବା ପରେ ଛୁରୀ ଓ ବିଷ ଧରି ଘରେ ପଶି ପ୍ରିୟଙ୍କାଙ୍କୁ ନିଜ ସହ ପଳାଇ ବିବାହ କରିବାକୁ ବାଧ୍ୟ କରିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ତେବେ ପ୍ରିୟଙ୍କା ମନା କରିବାରୁ ଛୁରୀରେ ବେକ କାଟି ସେ ନିର୍ମମ ଭାବେ ହତ୍ୟା କରିଥିଲା ।

ହତ୍ୟା ପରେ ଜଗନ୍ନାଥ ପ୍ରିୟଙ୍କାଙ୍କ ସ୍ୱାମୀଙ୍କୁ ହ୍ୱାଟ୍ସଆପ୍ ରେ ହତ୍ୟା ସମ୍ପର୍କିତ ମେସେଜ୍ ପଠାଇ ନିଜେ ବିଷ ପିଇ ଓ ହାତର ଶିରା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ପହଞ୍ଚି କବାଟ ଭାଙ୍ଗି ପ୍ରିୟଙ୍କାଙ୍କ ମୃତଦେହ ଓ ଜଗନ୍ନାଥ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଜଗନ୍ନାଥକୁ ଚିକିତ୍ସା ପରେ ଗିରଫ କରିଥିଲା । ତଦନ୍ତ ବେଳେ ସେ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଛୁରୀ ଓ ହାତଲେଖା ଚିଠି ମଧ୍ୟ ଜବତ କରାଯାଇଥିଲା ।  ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

 

 

Tags: