ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସଲେସ ଚିକିତ୍ସା ସେବା
ଦୁର୍ଘଟଣା ପରଠାରୁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ
ଭୁବନେଶ୍ବର : ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଯୋଗାଇ ଦିଆଯିବ କ୍ୟାସଲେସ ଚିକିତ୍ସା ସେବା I ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯିବା ଦରକାର I ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ 'ପ୍ରଧାନମନ୍ତ୍ରୀ ରାହତ' (PM-RAHAT) ଯୋଜନା ଆରମ୍ଭ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାର ଜଣେ ଡିଏସପି ପାହ୍ୟାର ଅଧିକାରୀ ନୋଡାଲ ଅଫିସର ଭାବରେ ନିଯୁକ୍ତି ହେବେ । ଏହି ଯୋଜନା ଅଧୀନରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଦୁର୍ଘଟଣା ପରଠାରୁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।
ଏହି ବ୍ୟବସ୍ଥାରେ ସାଧାରଣ ଆହତଙ୍କ କ୍ଷେତ୍ରରେ ୨୪ ଘଣ୍ଟା ଏବଂ ଗୁରୁତର ଆହତଙ୍କ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ଇ-ଡିଏଆର୍ (eDAR) ପ୍ଲାଟଫର୍ମରେ ତଥ୍ୟ ଯାଞ୍ଚ ଓ ଅନୁମୋଦନ କରିବାକୁ ପୋଲିସକୁ କୁହାଯାଇଛି । ଯଦି ଦୁର୍ଘଟଣା ଅନ୍ୟ କୌଣସି ଥାନା ଅଞ୍ଚଳରେ ଘଟିଥାଏ, ତେବେ ମାତ୍ର ୩ ଘଣ୍ଟା ମଧ୍ୟରେ ଅଧିକାର କ୍ଷେତ୍ର ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚିକିତ୍ସା ନାମରେ ହେଉଥିବା ଜାଲିଆତି ରୋକିବା ପାଇଁ ସିସିଟିଭି ଏବଂ ଟୋଲ୍ ତଥ୍ୟର ସହାୟତା ନିଆଯିବ । ଏହି ସମଗ୍ର ପ୍ରକ୍ରିୟାର ତଦାରଖ ପାଇଁ ଷ୍ଟେଟ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ ପକ୍ଷରୁ ଏକ ସ୍ୱତନ୍ତ୍ର ସିସିଟିଏନଏସ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉଛି ।
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏଥିରେ କୌଣସି ଅବହେଳା ପ୍ରଦର୍ଶନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।




