ଅବଦୁର ରେହେମାନ ନିର୍ଦ୍ଦୋଷରେ ଖଲାସ
କଟକ : ଅବଦୁର ରେହେମାନ ନିର୍ଦ୍ଦୋଷରେ ଖଲାସ । ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ୨୦୧୬ ମସିହାରେ ଅବଦୁର ରେହେମାନକୁ କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା । AQIS ଆତଙ୍କୀ ସଂଗଠନ ସହ ଲିଙ୍କ ଅଭିଯୋଗ ରେ ଗିରଫ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଅଲକାଏଦା ର ଆଉ ଏକ ଶାଖା ହେଉଛି AQIS । ତେବେ ଏହା ପ୍ରମାଣିତ ନହେବାରୁ ଆଜି ଅବଦୁର ରେହେମାନକୁ ନିର୍ଦୋଷରେ ଖଲାସ କରିଛନ୍ତି କଟକ ସେସନ୍ସ ଜଜ । ତାଙ୍କ ବିରୋଧରେ ୩ଟି ସଂଗୀନ ଦଫା ଲାଗିଥିଲା । ୧୦ବର୍ଷ ମାମଲା ଚାଲିବା ପରେ ୪୬ଜଣ ସାକ୍ଷୀଙ୍କ ବୟାନ ଆଧାରରେ ତାଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି ।
୨୦୨୩ ଫେବ୍ରୁଆରୀରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଅବଦୁର ରେହମାନ ସହ ଅନ୍ୟ ୩ ଜଣଙ୍କୁ ଆତଙ୍କବାଦୀ ଷଡ଼ଯନ୍ତ୍ର, ଯୁବକଙ୍କୁ ପ୍ରଲୋଭିତ କରି ଆତଙ୍କୀ କାର୍ଯ୍ୟରେ ସାମିଲ୍ କରିବା, ବେଆଇନ୍ କାର୍ଯ୍ୟକଳାପ ଅଭିଯୋଗରେ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ତିତ କରିଥିଲେ । ଯାହା ଜେଲ୍ରେ ବିତାଇ ସାରିଛି ଅବଦୁର ରେହମାନ ।
ସୂଚନାନୁସାରେ, ଅବଦୁର ରେହେମାନ ଓ ତାର ସହଯୋଗୀ ସ୍ଥାନୀୟ ଅଞ୍ଚଳରେ ମଦ୍ରାସା ଚଳାଉଥିଲେ । ଯେଉଁଥିରେ ଝାଡ଼ଖଣ୍ଡ ଓ ପଡ଼ୋଶୀ ରାଜ୍ୟର ପ୍ରାୟ ୮୦ ଜଣ ପଢ଼ୁଥିଲେ ।ତେବେ ପୋଲିସ ଅଭିଯୋଗ ଅନୁସାରେ, ମଦ୍ରାସାରେ ରେହମାନ ପିଲାଙ୍କୁ ଦେଶ ବିରୋଧୀ ଶିକ୍ଷା ଦେଉଥିଲା । ସେଠାରୁ ଯୁବକମାନଙ୍କୁ ନେଇ AQIS ଏବଂ ଇଣ୍ଡିଆନ୍ ମୁଜାହିଦ୍ଦି ଭଳି ଆତଙ୍କବାଦୀ ସଂଗଠନରେ ସାମିଲ୍ କରଥିବା ଅଭିଯୋଗ ଥିଲା । ଏଥିପାଇଁ ଅବଦୁରକୁ ବିଦେଶରୁ ଟଙ୍କା ଆସୁଥିବା କୁହା ଯାଇଥିଲା ।



