ନନ୍ଦନକାନନକୁ ଆସିଲେ ୧୪ ଟି ବିଦେଶୀ ପ୍ରାଣୀଙ୍କ ସହ ମୋଟ ୫୪ ଟି ଜନ୍ତୁ
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି । ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୧୪ଟି ବିଦେଶୀ ପ୍ରଜାତିର ପ୍ରାଣୀଙ୍କ ସହ ମୋଟ ୫୪ଟି ଜନ୍ତୁ I ରାଧାକୃଷ୍ଣ ଟେମ୍ପଲ ଏଲିଫ୍ୟାଣ୍ଟ ୱେଲଫେୟାର ଟ୍ରଷ୍ଟ (RKTEWT) ପକ୍ଷରୁ ଦାନ ସୂତ୍ରରେ ବନ୍ୟଜନ୍ତୁଙ୍କୁ ନନ୍ଦନକାନନକୁ ଅଣାଯାଇଛି । ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ ।
କେବଳ ଜୀବଜନ୍ତୁ ନୁହନ୍ତି, ବନତାରାରୁ ଆସିଛନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛି ରେନବୋ ଲରି ଭଳି ରଙ୍ଗବେରଙ୍ଗ ଓ ଆକର୍ଷଣୀୟ ପକ୍ଷୀ । ଏମାନଙ୍କ ଆଗମନ ପରେ ନନ୍ଦନକାନନରେ ଆହୁରି ବଢ଼ିବ ବନ୍ୟଜନ୍ତୁଙ୍କ ବିବିଧତା ।
ନୂଆ ଅତିଥିମାନେ ନନ୍ଦନକାନନରେ ପହଞ୍ଚିବା ପରେ ସିଧାସଳଖ ପର୍ଯ୍ୟଟକଙ୍କ ପାଇଁ ଖୁଆଡ଼କୁ ଯିବେ ନାହିଁ । ପ୍ରାୟ ଏକ ମାସ ଧରି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏହି ସମୟ ମଧ୍ୟରେ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟ ଓ ଆଚରଣ ଉପରେ ନଜର ରଖାଯିବ । ନୂଆ ପରିବେଶ ସହ ସେମାନେ କିଭଳି ଖାପ ଖୁଆଉଛନ୍ତି, ତାହା ମଧ୍ୟ ନିରୀକ୍ଷଣ କରାଯିବ ।
କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ସନ୍ତୋଷଜନକ ରହିଲେ, ନୂଆ ଅତିଥିମାନଙ୍କୁ ଧୀରେ ଧୀରେ ଖୁଆଡ଼କୁ ଅଣାଯିବ । ଏହାପରେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନେ ଜେବ୍ରା, କଙ୍ଗାରୁ, ୱାଲାବି, କସୁଆରି ଏବଂ ରେନବୋ ଲରି ଭଳି ନୂଆ ଅତିଥିଙ୍କୁ ଦେଖିବାର ସୁଯୋଗ ପାଇବେ। ନୂଆ ପ୍ରାଣୀ ଓ ପକ୍ଷୀଙ୍କ ଆଗମନ ନନ୍ଦନକାନନର ଆକର୍ଷଣକୁ ଆହୁରି ବଢ଼ାଇବା ସହ ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି।




