ଖେଳୁଥିବାବେଳେ ଶିଶୁ କନ୍ୟାକୁ ଝାମ୍ପିନେଲା ଅଜଣା ଜନ୍ତୁ

ଖେଳୁଥିବାବେଳେ ଶିଶୁ କନ୍ୟାକୁ ଝାମ୍ପିନେଲା ଅଜଣା ଜନ୍ତୁ
Samaya Live News Picture
Published On

ରାଇଘର : ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ । ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳ ନାକଟିସିମୋଡା ପଞ୍ଚାୟତର ଚଢ଼ିଆପାରା ଗାଁରେ ଅଭାବନୀୟ ଘଟଣା । ଘର ଅଗଣାରେ ଖେଳୁଥିବା ବେଳେ ୪ ବର୍ଷର ଶିଶୁକନ୍ୟାକୁ ଝାମ୍ପି ନେଲା ଏକ ଅଜଣା ବନ୍ୟଜନ୍ତୁ । ଶିଶୁକନ୍ୟା ଜଣକ ଗାଁର ବିଷ୍ଣୁ ଗଣ୍ଡଙ୍କ ଝିଅ ବୋଲି ଜଣାପଡିଛି । ଝିଅକୁ କଲରାପତରିଆ ବାଘ ବା ହେଟା ବାଘ ଉଠାଇ ନେଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନାନୁସାରେ, ଗତକାଲି ପ୍ରୟ ସନ୍ଧ୍ୟା ସମୟରେ ଶିଶୁକନ୍ୟାଟି ଘର ଦାଣ୍ଡରେ ଖେଳୁଥିବା ବେଳେ  ହଠାତ୍ ଏକ ଅଜଣା ବନ୍ୟଜନ୍ତୁ ଆସି ତାକୁ ଝାମ୍ପି ନେଇଥିଲା । ଘଟଣାଟି ଶିଶୁର ଜେଜେବାପା ଦେଖିଥିବା ତାଙ୍କ ମା’ ସୁମିତ୍ରା ଗଣ୍ଡ କହିଛନ୍ତି । ସେହିପରି ଉକ୍ତ ସ୍ଥାନ ରେ ରକ୍ତ ଛିଟା ପଡ଼ିଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି l ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ୧୫ ଜଣିଆ ଟିମ୍ ଗାଁରେ ପହଞ୍ଚି ତଲାସୀ ଆରମ୍ଭ କରିଛି। ରାଇଘର ବନାଞ୍ଚଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶିଶୁର ସନ୍ଧାନ ଜାରି ରଖିଛନ୍ତି । ବନ ବିଭାଗର କର୍ମଚାରୀଙ୍କ ସହ ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମିଶି ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି ଚଳାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାକୁ ୨୪ ଘଣ୍ଟା ବିତି ଥିବାବେଳେ ପିଲାଟିର କୌଣସି ସୂଚନା ମିଳିନାହିଁ ।

ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଅଧିକାରୀ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଘଟଣାସ୍ଥଳ ଛତିଶଗଡ଼ ସୀମାକୁ ଲାଗି ରହିଛି । ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ବ୍ୟାଘ୍ର ଅଭୟାରଣ୍ୟ ଥିବାରୁ ଏହି ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ରହିଛି । ତେବେ ଶିଶୁକନ୍ୟାକୁ ଝାମ୍ପି ନେଇଥିବା ଜନ୍ତୁଟି ବାଘ ନା ଅନ୍ୟ କୌଣସି ହିଂସ୍ର ବନ୍ୟଜନ୍ତୁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ।

 

Tags: