ଦେବ୍ରିଗଡ ଜଙ୍ଗଲରେ ସମ୍ବର ଶିକାର କଲା ମହାବଳ
ବରଗଡ଼ : ସମ୍ବଲପୁର ଓ ବରଗଡ଼ ଜିଲା ସୀମାନ୍ତରେ ଥିବା ପ୍ରସିଦ୍ଧ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର କୋର୍ ଜୋନ୍ରେ ଏକ ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର) ଠାବ ହୋଇଥିଲା । ଗତକାଲି ରାତିରେ ମହାବଳଟି ଏକ ସମ୍ବର ଶିକାର କରିଥିବା ଜଣା ପଡିଛି । ବାଘଟି ଅଭୟାରଣ୍ୟର ଜଙ୍ଗଲ ଓ ନିଜ ପାଇଁ ଉପଯୁକ୍ତ ବାସସ୍ଥଳୀ ଅନୁସନ୍ଧାନ କରୁଥିବା ବେଳେ ପର୍ଯ୍ୟଟକଙ୍କ ନଜରକୁ ଆସିଥିଲା । ସୋମବାର ଅପରାହ୍ନରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଅଭୟାରଣ୍ୟର ପର୍ଯ୍ୟଟନ ଜୋନରେ ୪ଟି ସଫାରି ଗାଡ଼ିରେ ବୁଲୁଥିବା ସମୟରେ ଏହି ମହାବଳ ବାଘକୁ ଅତି ନିକଟରୁ ଦେଖିବାକୁ ପାଇଥିଲେ । ପରେ ବିଳମ୍ବିତ ସନ୍ଧ୍ୟାରେ ଏହା କୋର୍ ଅଞ୍ଚଳରେ ସମ୍ବର ଶିକାର କରିଥିଲା । ବନ ବିଭାଗ ଦ୍ୱାରା ଲଗାଯାଇଥିବା କ୍ୟାମେରା ଟ୍ରାପ୍ରେ ଏହି ଘଟଣାର ଚିତ୍ର ଓ ବାଘର ଗତିବିଧି କଏଦ ହୋଇଛି ।
ଡିଏଫଓ ଅଂଶୁ ପ୍ରଜ୍ଞା ଦାସଙ୍କ ସୂଚନା ଅନୁଯାୟୀ, ବାଘଟି ସମ୍ବର ଶିକାର କରିବା ଏହା ଦର୍ଶାଉଛି ଯେ ସେ ଦେବ୍ରିଗଡ଼ର ପ୍ରାକୃତିକ ପରିବେଶ ଏବଂ ବାସସ୍ଥଳୀ ସହିତ ନିଜକୁ ଖାପ ଖୁଆଇ ନେଇଛି । ଏହା ସହିତ ଏଠାରେ ବାଘ ପାଇଁ ପର୍ଯ୍ୟାପ୍ତ ପରିମାଣର ଶିକାର ମଧ୍ୟ ଉପଲବ୍ଧ ଅଛି ।
ଅନ୍ୟପକ୍ଷରେ ମହାବଳ ବାଘର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଅଭୟାରଣ୍ୟର ନଦୀପଥରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ମଧ୍ୟ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରୁଥିବା ଶିକାରୀ, ଫାଶ, ଜାଲ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସୂଚନା ଦେବା ପାଇଁ ପୁଲିସ, ସ୍ଥାନୀୟ ଜନସାଧାରଣ ଓ ସୂଚନାଦାତାଙ୍କୁ ସତର୍କ କରାଯାଇଛି।




