MKCG ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ
ଭୁବନେଶ୍ୱର : MKCG ମେଡିକାଲ କଲେଜ ଡାକ୍ତରୀ ପ୍ରଶ୍ନପତ୍ର ଲିକ ଘଟଣା । ମେଡିକାଲ କଲେଜରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି । ଏହି ଟିମ୍ରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି । ପୂର୍ଵରୁ MKCG ମେଡିକାଲ କଲେଜର ୫ ଜଣିଆ ଟିମ ତଦନ୍ତ କରି ରିପୋର୍ଟ କଲେଜ ଡିନ ଙ୍କୁ ପ୍ରଦାନ କରିଛନ୍ତି । ଡିନ ଏହି ରିପୋର୍ଟକୁ OUHAS ଙ୍କୁ ପ୍ରଦାନ କରିଛନ୍ତି । ପିଜି ପରୀକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଖବର ପ୍ରସାରିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି ।
ଏହି ଉଚ୍ଚସ୍ତରୀୟ ଟିମ୍ ଏମ୍କେସିଜିରେ ପହଞ୍ଚି ପରୀକ୍ଷା ପରିଚାଳନା ସହ ଜଡ଼ିତ ବିଭିନ୍ନ ଦସ୍ତାବେଜର ଅନୁଧ୍ୟାନ କରିବା ସହ କଲେଜର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । କେଉଁ ପରିସ୍ଥିତିରେ ଏବଂ କେଉଁ ସ୍ତରରେ ପ୍ରଶ୍ନପତ୍ର ଲିକ୍ ହେଲା, ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି । ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ଟିମ୍ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଏହି ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।




