କେନ୍ଦୁଝର କନେଷ୍ଟବଳ ସ୍ୱାମୀ ହତ୍ୟା ଘଟଣାରେ ୯ ଗିରଫ

କେନ୍ଦୁଝର କନେଷ୍ଟବଳ ସ୍ୱାମୀ ହତ୍ୟା ଘଟଣାରେ ୯ ଗିରଫ
Samaya Live News Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ମହିଳା କନଷ୍ଟେବଳ ସ୍ୱାମୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି । ଲୁଟ୍ ପାଇଁ ସେମାନେ ଏହି ହତ୍ୟା କରିଥିବା କହିଛନ୍ତି କେନ୍ଦୁଝର ଏସ୍‌ପି ନୀତୀନ କୁଶଲକର । ମୃତକ ହେଲେ ତ୍ରିଲୋଚନ ମହାନ୍ତ । ସେ କେନ୍ଦୁଝର ଜିଲ୍ଲା କନ୍ଦେଇପଶି ବଜାରରେ ଏକ ଜନସେବା କେନ୍ଦ୍ର କରିଥିବାବେଳେ ତାଙ୍କ ପତ୍ନୀ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କନଷ୍ଟେବଳ ଭାବେ ନିଯୁକ୍ତ ହୋଇଛନ୍ତି ।

ସୂଚନାନୁସାରେ, ତ୍ରିଲୋଚନ ମହାନ୍ତ କେନ୍ଦୁଝର ଜିଲ୍ଲା କନ୍ଦେଇପଶି ବଜାରରେ ଏକ ଜନସେବା କେନ୍ଦ୍ର କରିଥିଲେ । ସେପ୍ଟେମ୍ବର ୨୮ ତାରିଖ ରାତିରେ ମଧ୍ୟ ସେ ଦୋକାନ ବନ୍ଦ କରି ଟଙ୍କାପଇସା ଧରି ସ୍କୁଟିରେ ପାଟଣା ସ୍ଥିତ ଘରକୁ ଫେରୁଥିବା ବେଳେ ଲୁଟ୍‌ ଉଦ୍ଦେଶ୍ୟରେ ତାଙ୍କୁ କରାଯାଇଥିଲା ଆକ୍ରମଣ। ଦୁର୍ବୁତ୍ତମାନେ ତାଙ୍କୁ ଛୁରାମାଡ଼ କରିବା ସହ ଗୁଳି କରି ହତ୍ୟା କରିଥିଲେ ଏବଂ ତାଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ‌ । ପାରିପାର୍ଶ୍ୱକ ସ୍ଥିତିକୁ ଦେଖି ଲୁଟ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରିଥିଲା । ସେହି ଅନୁସାରେ ତଦନ୍ତ ଆଗେଇ ଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଥିଲା । ଶେଷରେ ପୁଲିସ ଅଭିଯୁକ୍ତମାନଙ୍କଚ ଧରିବାରେ ସଫଳ ହୋଇଛି । ଘଟଣାର ତଦନ୍ତ ସମ୍ବନ୍ଧୀୟ ସବିଶେଷ ସୂଚନା ପରେ ଦିଆଯିବ ବୋଲି ଏସ୍‌ପି କହିଛନ୍ତି। ଏହା ସହିତ କହିଛନ୍ତି ଯେ ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଏରାଗୋଳା ଗ୍ୟାଙ୍ଗର ସଦସ୍ୟ । ଏହି ଗ୍ୟାଙ୍ଗ ସାଧାରଣତଃ ସୁନା ଚେନ୍ ଛିନତାଇ ଓ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥାଏ । ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲା କେଳର ବାସିନ୍ଦା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ୍ ଆଜି ୬ ଜଣଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି । 

Tags: