୯.୮ ଲକ୍ଷ ଭୋଟର ବାଦ, ଯାଞ୍ଚ ପାଇଁ ନିର୍ଦ୍ଦେଶ

୯.୮ ଲକ୍ଷ ଭୋଟର ବାଦ, ଯାଞ୍ଚ ପାଇଁ ନିର୍ଦ୍ଦେଶ
Samaya Live News Picture
Published On

ଭୁବନେଶ୍ଵର : ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ । ଭୋଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ରାଜ୍ୟରେ ପ୍ରାୟ ୯.୮ ଲକ୍ଷ ନାମ ଭୋଟର ତାଲିକାରୁ ବାଦ୍ ପଡିଛି । କିନ୍ତୁ ଅନେକ ସ୍ଥାନରେ ଭୁଲ୍ ଭାବରେ ନାମ କଟାଯାଇଥିବା ନେଇ ଅଭିଯୋଗ ହୋଇଛି । ଏ ପ୍ରସଙ୍ଗରେ ସବୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ELO ମାନଙ୍କୁ ପତ୍ର ଲେଖିିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର । ଭୋଟର ତାଲିକାରୁ ଯେପରି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲ୍ ବଶତଃ କଟି ନଯାଏ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଏଥିପାଇଁ ସ୍ୱଚ୍ଛତା ଏବଂ ପ୍ରତ୍ୟକ୍ଷ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଭୋଟର ତାଲିକାରୁ ୯ ଲକ୍ଷ ୮ ହଜାର ନାଁ କଟିବା ପରେ ପୁଣି ଥରେ ଯାଞ୍ଚ ପାଇଁ ଗୃହ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି। ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ। ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର EROଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରିବାର ଲୋକ କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ। ନାମ କାଟିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଶେଷ ଜଣାଥିବା ଠିକଣାରେ ଏକ ନୋଟିସ୍ ପଠାଇବା ବାଧ୍ୟତାମୂଳକ । ୨ ଏପ୍ରିଲ ୨୦୨୬ ପରେ ମିଳିଥିବା ଫର୍ମ-୭ ଆବେଦନଗୁଡ଼ିକ ମଧ୍ୟରୁ ଅନ୍ତତଃ ପକ୍ଷେ ୫୦% ଆବେଦନର ଫିଜିକାଲ ଭେରିଫିକେସନ ERO/AERO କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଦ୍ୱାରା କରାଯିବ। ସେମାନେ ନିଜେ ଆବେଦନକାରୀଙ୍କ ସହ ଯୋଗାଯୋଗ କରିବେ।

ସେପଟେ ଭୋଟର ଲିଷ୍ଟ ରୁ ନାଁ କାଟିଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ କହିଛନ୍ତି, ୨୩ ବର୍ଷ ପରେ BLO ଘରକୁ ଘର ଯାଇ ଜନଗଣନା କରୁଛନ୍ତି । ୯୫% ମ୍ୟାପିଂ ହୋଇସାରିଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଛି, କେହି କେହି ଗାଁ ଛାଡ଼ିକି ଯାଇଛନ୍ତି, ସହର ଓ ଗାଁରେ ସେମାନଙ୍କ ନାଁ ଭୋଟର ତାଲିକାରେ ରହିଛି । ସେଗୁଡ଼ିକ ସଂଗ୍ରହ ହୋଇଛି । ଯେହେତୁ ଅଧିକ ସଂଖ୍ୟକ ଅଛି ଆମେ କ୍ରସ୍ ଚେକ୍ ପାଇଁ ଚିଠି କରିଛୁ । ପୂର୍ବ ବର୍ଷ ଗୁଡିକରେ ୭ରୁ ୮ ଲକ୍ଷ କଟୁଥିଲା । ଓଡ଼ିଶାରେ ବହୁତ କମ୍ ସଂଖ୍ୟା ଅଛି । ଭୁବନେଶ୍ୱର ସହରରେ ଟିକେ ଅଧିକ ସଂଖ୍ୟା ଅଛି । ଯେଉଁ ମାନଙ୍କ ନାଁ କଟିଯାଇଛି ଭୁଲ ବଶତଃ ଫର୍ମ-୬ରେ BLO ପାଖରେ ଦେଲେ ପୁଣି ଯୋଡି ହେବ ।

Tags: