ଦୁଇ ବର୍ଷରେ ପଦବୀ ହରାଇଛନ୍ତି ୬୧ ଜଣ ସରପଞ୍ଚ ଏବଂ ୯ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ
ଭୁବନେଶ୍ୱର : ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଦୁଇ ବର୍ଷରେ ପଦବୀ ହରାଇଛନ୍ତି ୬୧ ଜଣ ସରପଞ୍ଚ ଏବଂ ୯ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ । ସୋମବାର ବିଧାନସଭାରେ ପ୍ରଶ୍ନକାଳରେ ଆସିଥିବା ସରକାରୀ ତଥ୍ୟ ଏବେ ଉଠାଇଛି ଏମିତି କିଛି ପ୍ରଶ୍ନ । ଅନାସ୍ଥା ପ୍ରସ୍ତାବ କାରଣରୁ ଗତ ଦୁଇ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୧ ଜଣ ସରପଞ୍ଚ ଏବଂ ୯ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବରେ ପଦଚ୍ୟୁତ ହୋଇଛନ୍ତି । କେବଳ ଅନାସ୍ଥା ନୁହେଁ, ସରକାରୀ ଅର୍ଥର ଦୁର୍ନୀତି ଓ ଅପବ୍ୟବହାର ଅଭିଯୋଗରେ ୧୫ ଜଣ ପଞ୍ଚାୟତିରାଜ ପ୍ରତିନିଧି ନିଲମ୍ବିତ ହୋଇଥିବା ବେଳେ ୪ ଜଣଙ୍କ ବିରୋଧରେ ପ୍ରସିକ୍ୟୁସନ୍ ଆରମ୍ଭ ହୋଇଛି।
ବିଧାନସଭାରେ ବିଧାୟକ ପ୍ରତାପ ଦେବଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏହି ସୂଚନା ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦ୍ରାପଡ଼ା ସମେତ ଏକାଧିକ ଜିଲ୍ଲାରେ ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଗୃହିତ ହୋଇଛି।
ଜିଲ୍ଲାୱାରୀ ନିଲମ୍ବନ ତଥ୍ୟ ଅନୁସାରେ, ବରଗଡ଼ ଜିଲ୍ଲାରେ ସର୍ବାଧିକ ୩ ଜଣ ସରପଞ୍ଚ ନିଲମ୍ବିତ ହୋଇଛନ୍ତି। ସେହିପରି ବଲାଙ୍ଗିର ଓ ନୂଆପଡ଼ାରେ ୨ ଜଣ ଲେଖାଏଁ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପ୍ରତିନିଧିଙ୍କୁ ନିଲମ୍ବନ କରାଯାଇଛି।
ଅନ୍ୟପଟେ, ସରକାରୀ ତହବିଲ୍ର ଅପବ୍ୟବହାର ଓ ଦୁର୍ନୀତି ଅଭିଯୋଗରେ ୪ ଜଣ PRI (ପଞ୍ଚାୟତିରାଜ) ପ୍ରତିନିଧିଙ୍କ ବିରୋଧରେ ଆଇନଗତ ଆଭିମୁଖ୍ୟ ଗ୍ରହଣ କରାଯାଇ ସେମାନଙ୍କ ନାମରେ 'ପ୍ରସିକ୍ୟୁସନ୍' ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷ କରି ଅନୁଗୁଳ ଓ ବାଲେଶ୍ୱର ଭଳି ଜିଲ୍ଲାଗୁଡ଼ିକରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ।




