ବନ୍ୟା ସ୍ଥିତି ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୬୦ଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ
ଭୁବନେଶ୍ୱର : ରାଜ୍ୟର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୬୦ଟି ସ୍ୱତନ୍ତ୍ର ଟିମ୍କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏହି ଟିମ୍ଗୁଡ଼ିକ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଯାବତ୍ ୨୧୨ଜଣଙ୍କୁ ଉଦ୍ଧାର କରାଯାଇଛି । ମେଡିକାଲ, ବ୍ଲକ୍ ଭଳି ୪୫ଟି ସ୍ଥାନରୁ ପାଣି ନିଷ୍କାସନ କରାଯାଉଛି । ତେବେ ଉଦ୍ଧାର କାର୍ଯ୍ୟ ମଧ୍ୟରେ ଏକ ଦୁଃଖଦ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଡ୍ୟୁଟି ବେଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ କର୍ମଚାରୀଙ୍କ ଘର ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି ।
ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ (ଓଡ୍ରାଫ), ଓଡ଼ିଶା ସ୍ପେଶାଲ୍ ଆର୍ମଡ୍ ପୁଲିସ୍ (ଓଏସ୍ଏପି) ଏବଂ ଇଣ୍ଡିଆ ରିଜର୍ଭ ବାଟାଲିୟନ୍ (ଆଇଆରବି) ର ଯବାନମାନେ ଉଦ୍ଧାର ଚଳାଇଛନ୍ତି । ଓଡ୍ରାଫ୍ ଉଦ୍ଧାରକାରୀ ଦଳ ଏକ ଗ୍ରାମରେ ଅଣ୍ଟାଏ ପାଣିରେ ପଶି ଜଣେ ଶଯ୍ୟାଶାୟୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି । ରବର ବୋଟ୍ ଯୋଗେ ବନ୍ୟା ପାଣି ଘେରରୁ ମହିଳା, ଶିଶୁଙ୍କୁ ଆବଶ୍ୟକ ସାମଗ୍ରୀ ସହ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଗାଈ, ବାଛୁରୀ ଓ କୁକୁର ଭଳି ପଶୁମାନଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଡଙ୍ଗା ସାହାଯ୍ୟରେ ଔଷଧ, ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ପହଞ୍ଚାଯାଉଛି । ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଛି ଇ ଗର୍ଭବତୀ ମହିଳାମାନଙ୍କ ପାଇଁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।




