ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ମୃତ ୩ ଆହତ

ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ମୃତ ୩ ଆହତ
ପିପିଲି /କେନ୍ଦୁଝର/ଢେଙ୍କାନାଳ /ବାଲୁଗାଁ /ନୟାଗଡ଼ /ରାଉରକେଲା : ଦୁର୍ଘଟଣାର ଦିନ ଶୁକ୍ରବାର । ସରକାରଙ୍କ ବାରମ୍ବାର ସଡକ ସୁରକ୍ଷା ସଚେତନତା ନାରା ସତ୍ତ୍ୱେ ପ୍ରତିଦିନ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଅକାଳରେ ଜୀବନହାନୀ ଘଟୁଥିବା ଖବର ମିଳୁଛି । ସେହିଭଳି ଆଜି ଗୋଟିଏ ଦିନରେ ପୃଥକସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । 
 
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ନିକଟ ଦାଣ୍ଡମୁକୁନ୍ଦପୁରରେ ଘଟିଥିବା ବାଇକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ବାଇକରେ ୩ଜଣ ଯୁବକ ଯାଉଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପିପିଲି ପୁଲିସ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।
 
ସେହିଭଳି କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିକଟରେ ଦୁର୍ଘଟଣା ଏକ ଟ୍ରକ ଦୁର୍ଘଟଣା ଘଟିଛି । ରାଜପଥ ଉପରେ ଛିଡା ହୋଇଥିବା ଟ୍ରକ ପଛରେ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ପଛ ଗାଡିର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।
 
ଢେଙ୍କାନାଳ ହାତିବାରି ଗ୍ରାମରେ ମଧ୍ୟ ଆଉ ଏକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟରକୁ ଧକ୍କାଦେଇ ଘର ଉପରେ ଏକ ଟ୍ରଲର ମାଡିଯିବାରୁ ଘରେ ଶୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଟ୍ରଲର ଡ୍ରାଇଭର ହେଲ୍ପର ଗୁରୁତର ହୋଇଥିବା ସୂଚନା ମିଳିଛି  ।
 
ଆଜି ଭୋର ୪ଟା ସମୟରେ ଏକ ଆଜବେଷ୍ଟସ ବୋଝେଇ ଟ୍ରଲର ଏକ ଟ୍ରାକ୍ଟରକୁ ଧକ୍କାଦେଇ ରାସ୍ତା ପାର୍ଶ୍ଵ ଏକ ଘର ଉପରେ ମାଡି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ହେଲେ ସେହି ହାତିବାରି ଗ୍ରାମର ଅସ୍ଥିର ତରାଇ । ଏହାକୁ ନେଇ କିଛି ସମୟପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ସକାଳେ ପୋଲିସ ପହଞ୍ଚି ଟ୍ରଲରକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । 
 
ଅନ୍ୟଏକ ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ କୋତରୀ ଛକ ନିକଟରେ  ଘଟିଛି । ଏଥିରେ ବାଲୁଗାଁ ଥାନା ଅନ୍ତର୍ଗତ ପାରିକଂସାରୀ ଗ୍ରାମର ସତ୍ୟବାଦୀ ନାୟକଙ୍କ ମୃତ୍ୟୁ ଘଟିଛି । ସେ ବାଲୁଗାଁ ରେଳଷ୍ଟେସନର ଉତ୍ତର ଦିଗରେ ଥିବା ଧୂଆଁଳ ରେଳ ଫାଟକରେ ରେଳ କର୍ମଚାରୀ ଭାବେ ନିୟୋଜିତ ଥିଲେ । ସେ ଆଉ ୨ ଦୁଇ ମାସ ପରେ ଚାକିରୀରୁ ଅବସର ନେଇଥାନ୍ତେ । ବାଲୁଗାଁ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।
 
ସେହିପରି  ନୟାଗଡରେ ଗଛରେ ବାଇକ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଦୁଇ ଯୁବକ ନୟାଗଡ଼ ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ଵାଳ । ସେମାନେ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗାଁରୁ ବୋଦସା ଦେଇ କଳଟାଙ୍ଗୀ ଗାଁକୁ ଯାଉଥିବା ବେଳେ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ରାସ୍ତାରେ ପଡିଯାଇଥିଲେ। ସ୍ଥାନୀୟ ଗାଁଲୋକ ଉଭୟଙ୍କୁ ଉଦ୍ଧାର କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖଣ୍ଡପଡା ପୋଲିସ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରି କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
 
ଆଉ ଏକ କାର ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ସ୍ତ୍ରୀ ଓ ଝିଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିଛି ରାଉରକେଲା ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଫୁଲଝର ନିକଟରେ । ମୃତକ ହେଲେ ରୁପେଶ କୁମାର ସାହୁ । ସେ ଗୁରୁଣ୍ଡିଆ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ CDPO ଅନୁପମା ଗୋଚ୍ଛାୟତଙ୍କ ସ୍ବାମୀ ।
 
ସ୍ୱାମୀ ରୂପେଶ ଓ ଝିଅକୁ ନେଇ କେନ୍ଦୁଝର ରୁ ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆକୁ ଫେରୁଥିଲେ ଅନୁପମା ଗୋଛାୟତ । ସ୍ବାମୀ ରୁପେଶ କୁମାର ଗାଡ଼ି ଚଳାଉଥିଲେ । ତେବେ ବୋଲେରୋଟି ଭାରସାମ୍ୟ ହରାଇ ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଫୁଲଝର ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା  । ଫଳରେ ଘଟଣା ସ୍ଥଳରେ ରୁପେଶ କୁମାରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁପମା ଗୋଚ୍ଛାୟତ ଏବଂ  ତାଙ୍କ ଝିଅ ଗୁରୁତର ହୋଇଥିଲେ ।  ସ୍ଥାନୀୟ ଲୋକଙ୍କ ଠାରୁ ପୋଲିସ ଖବର ପାଇ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ ବଣାଇ ଡାକ୍ତରଖାନା ନେଇଥିଲା । ତେବେ ସେଠାରେ ଡାକ୍ତର ରୁପେଶଙ୍କୁ ମୃତ ଘୋଷଣା କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଅନୁପମା ଏବଂ ଝିଅଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲ୍ ଭର୍ତ୍ତି କରାଯାଇଛି  । 
 
Tags: