କାଣୀ ନଦୀରେ ୫୦ଫୁଟ ର ଘାଇ , ଚାଷ ଜମି ଜଳମଗ୍ନ
ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଓଡ଼ିଶାର କେତେକ ସ୍ଥାନରେ ଜଳ ବିଭୀଷିକା ଦେଖିବାକୁ ମିଳିଛି । ମାତ୍ର କେଇଟା ଦିନର ବର୍ଷାରେ ଲୋକଙ୍କ ହାଲ୍ ବେହାଲ୍ ହୋଇପଡ଼ିଛି । ସେହି କ୍ରମରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀର ଶାଖା କାଣୀ ନଦୀରେ କଣ୍ଟପଡା ଠାରେ ୫୦ଫୁଟ ଲମ୍ବର ବିରାଟ ଘାଇ ସୃଷ୍ଟି ହୋଇଛି । ଘାଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମି ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି ତଳି ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡିଛି ।
ଲଗାଣ ବର୍ଷା ଏବଂ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏହି ଅଞ୍ଚଳର ମାଟି ବନ୍ଧ ଉପରେ ଚାପ ପଡ଼ିଥାଏ । ଏହାଦ୍ବାରା ନଦୀକୂଳ ଧସିବା ସହ ବଡ଼ ବଡ଼ ଫାଟ ସୃଷ୍ଟି କରେ । ଫଳରେ ବନ୍ୟା ଜଳ ହଜାର ହଜାର ଏକର ଚାଷଜମି ବୁଡ଼ିବା ସହ ନିକଟସ୍ଥ ଗ୍ରାମଗୁଡ଼ିକରେ ପାଣି ପଶିବା ନେଇ ଆଶଙ୍କା କରାଯାଉଛି ।
ସେହିପରି ସହରାଞ୍ଚଳର ଡ୍ରେନ ଗୁଡିକରେ ପାଣି ଭର୍ତ୍ତି ହେଇ ରାସ୍ତାରେ ଢେଉ ମାରୁଥିବା ଦେଖିବାକୁ ମିଳୁଛି । ଅତ୍ୟଧିକ ବର୍ଷା ଯୋଗୁ ଲୋକଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ଯୋଗୁ ଘରୁ ବାହାରକୁ ଆସିବା ଅସମ୍ଭବ ହେଇ ପଡିଛି । ଗତକାଲି (ସୋମବାର) ସୁଦ୍ଧା ଜିଲ୍ଲାରେ ୧୨୨୫.୧ ମିଲିମିଟର ବର୍ଷା ହେଇଥିବା ବେଳେ ଦଶରଥପୁର ବ୍ଲକରେ ସର୍ବାଧିକ ୧୯୩ ମିଲି ମିଟର ବର୍ଷା ହେଇଥିବା ସୂଚନା ମିଳିଛି ।
ଗତକାଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଥିଲେ ଯେ ଲଗାଣ ବର୍ଷାରେ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ତେଣୁ ବୈତରଣୀରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଆଖୁଆପଦାଠାରେ ବୈତରଣୀ ଜଳ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି ।




