ପୁରୀରୁ ୫ନକଲି ଗୁମାସ୍ତା ଗିରଫ
ପୁରୀ : ଶ୍ରୀମନ୍ଦିର ନିକଟରୁ ପୁଣି ଧରାପଡିଲେ ନକଲି ଗୁମାସ୍ତା । ଶ୍ରୀମନ୍ଦିର ସେବାୟତଙ୍କ ସହାୟକ (ଗୁମାସ୍ତା) ପରିଚୟ ଦେଇ ଶ୍ରଦ୍ଧାଳୁଙ୍କୁ ଠକୁଥିବା ଅଭିଯୋଗରେ ସିଂହଦ୍ୱାର ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୫ ନକଲି ଗୁମାସ୍ତା ହେଉଛନ୍ତି ପୁରୀ ସଦର ଥାନା ପିଳିପିଳା ଗ୍ରାମର ଲକ୍ଷ୍ମୀଧର ପରିଡ଼ା, ହାଡଗୋଡିଆ ସାହିର ବିଶ୍ବରଂଜନ ନାୟକ, ଗୋରୁଆଳ ଗ୍ରାମର ଭଗବାନ ସାହୁ, ଲୋକନାଥ ରୋଡ୍ର ମଧୂସୁଦନ ମିଶ୍ର ଏବଂ ଜଗତସିଂହପୁର ଜିଲ୍ଲାର ରୁଦ୍ର ପ୍ରତାପ ଷଡ଼ଙ୍ଗୀ । ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ରବିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଦର୍ଶନ କରାଇଦେବାକୁ କହି ପୁରୀ ହାଡ଼ଗଡ଼ିଆ ସାହିର ବିଶ୍ୱରଞ୍ଜନ ନାୟକ ୧୩,୦୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସାଦା ପୋଷାକରେ ନଜର ରଖିଥିଲା ପୋଲିସ । ଫଳରେ ବିଶ୍ୱରଞ୍ଜନ ନାୟକ ସମେତ ମୋଟ୍ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କୁ ଶୀଘ୍ର ଓ ସ୍ୱତନ୍ତ୍ର ଦର୍ଶନ କରାଇଦେବା ନାଁରେ ଟଙ୍କା ଆଦାୟ କରୁଥିବା ଦଲାଲଙ୍କ ବିରୋଧରେ ପୁରୀ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଜାରି ରହିଛି। କୌଣସି ଅଣଅଧିକୃତ ବ୍ୟକ୍ତି କିମ୍ବା ମଧ୍ୟସ୍ଥିଙ୍କ ପ୍ରଲୋଭନରେ ନ ପଡ଼ିବାକୁ ପୁଲିସ ପକ୍ଷରୁ ଭକ୍ତମାନଙ୍କୁ ସତର୍କ କରାଯାଇଛି । ପୁରୀ ଏସ୍ପି ପ୍ରତୀକ ସିଂ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼େନି । କେହି ଦର୍ଶନ ନାଁରେ ଟଙ୍କା ମାଗିଲେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ପୁରୀ ଏସ୍ପି କହିଛନ୍ତି ।




