ଗଣେଶ ଭସାଣି ବେଳେ ଅଘଟଣ, ଜେନେରେଟର ନିଆଁ ରେ ପୋଡ଼ିଗଲେ ୫ଶିଶୁ
ପୁରୁଷୋତ୍ତମପୁର : ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଅଘଟଣ । ଜେନେରେଟର ନିଆଁ ରେ ଜଳିଗଲେ ୫ ଶିଶୁ । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ । ଗଣେଶ ଭସାଣି ପାଇଁ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା ଏହା ନିକଟରେ ପେଟ୍ରୋଲ୍ ଜାର୍ ରଖାଯାଇଥିବା ବେଳେ ଶିଶୁମାନେ ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିଲେ । ତେବେ ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁ ନିକଟରେ ଥିବା ପେଟ୍ରୋଲ୍ ଜାର୍ ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ । ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ସୀତାରାମପୁର ଆଗ୍ରାହରମ୍ ସାହିର ୪ ବର୍ଷୀୟ ଇତିଶ୍ରୀ ନାୟକ, ୧୧ ବର୍ଷୀୟ ସୁହାନି ନାୟକ, ୮ ବର୍ଷୀୟ ଭୂମି ନାୟକ, ୭ ବର୍ଷୀୟ ରାହରି ନାୟକ ଏବଂ ୫ ବର୍ଷୀୟ ବିକାଶ ନାୟକ । ଅଘଟଣ ପରେ ପୁରୁଷୋତ୍ତମପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ହସ୍ପିଟାଲରେ ପହଞ୍ଚି ଆହତ ଶିଶୁମାନଙ୍କ ପାଇଁ ଉତ୍ତମ ଚିକିତ୍ସା ନିମନ୍ତେ ନିର୍ଦେଶ ଦେଇଛନ୍ତି ।




