୬ ଜିଲ୍ଲାରେ ୪୪ ବ୍ଲକ ପ୍ରଭାଵିତ ,୪ଜଣଙ୍କ ମୃତ୍ୟୁ
୨ ଲକ୍ଷ ୩ ହଜାର ୨୦୮ ଲୋକ ପ୍ରଭାଵିତ ,୨୭ ହଜାର ସ୍ଥାନାନ୍ତର
ଭୁବନେଶ୍ୱର: ଲଗାଣ ବର୍ଷା ରେ ଉବୁଟୁବୁ ଉତ୍ତର ଓଡିଶା । ଜଳକା, ସାଳନ୍ଦୀ ଓ ବୈତରଣୀ ଉଗ୍ର ରୂପ ଧାରଣ କରିଛି । ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବନ୍ଧବାଡ଼ ଭାଙ୍ଗିଲାଣି ନଦୀ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି । ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ, ରାଜ୍ୟର ୬ଟି ଜିଲ୍ଲା, ୪୪ଟି ବ୍ଲକ,୨୩୩ଟି ପଞ୍ଚାୟତ ଏବଂ ୭୪୮ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ୨ ଲକ୍ଷ ୩ ହଜାର ୨୦୮ ଲୋକ ପ୍ରଭାବିତ ହୋଇଥିବାବେଳେ ଢେଙ୍କାନାଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି । ବିଶେଷକରି ଯାଜପୁର ,ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି । ରାଜ୍ୟରେ ସମସ୍ତ ପ୍ରଭାବିତ ଅଂଚଳରେ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ ହୋଇଛି ।
ସେହିପରି, ବାଲେଶ୍ୱରର ୧୨ଟି ବ୍ଲକ, ଭଦ୍ରକର ୫ଟି, ମୟୂରଭଞ୍ଜର ୧୩ଟି ,ଢେଙ୍କାନାଳର ୮ଟି, ଯାଜପୁରର ୩ଟି, ଏବଂ ସମ୍ବଲପୁରର ୩ଟି ବ୍ଲକ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି । ଅନେକ ଅଞ୍ଚଳରେ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବାଲେଶ୍ୱର ଓ ଭଦ୍ରକରେ ଚାଷଜମି ବ୍ୟାପକ ଭାବେ ଜଳମଗ୍ନ ହୋଇଥିବା ସହ ଗୃହପାଳିତ ପଶୁଙ୍କର ମଧ୍ୟ କ୍ଷତି ହୋଇଛି ।
ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରାୟ ୨୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପୀଡ଼ିତଙ୍କ ପାଇଁ ୨୩୨ଟି ରିଲିଫ କେନ୍ଦ୍ର ଖୋଲାଯାଇଛି, ଯେଉଁଠାରେ ରହିବା, ଖାଇବା ଓ ଅନ୍ୟାନ୍ୟ ଜରୁରୀ ସୁବିଧାର ବ୍ୟବସ୍ଥା କରାଯାଇଛି । ରିଲିଫ କାର୍ଯ୍ୟରେ ଚାଉଳ, ଚୁଡ଼ା, ଗୁଡ଼, ଗୋଖାଦ୍ୟ ଓ ପଲିଥିନ୍ ସିଟ୍ ବଣ୍ଟନ କରାଯାଉଛି। ସେହିପରି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗର ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି ।
ବିଶେଷକରି ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ଜଳସ୍ତର ଏବେ ବି ଉଚ୍ଚ ଥିବାରୁ ସେଠାରେ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏସଆରସି ସମସ୍ତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ନଜରଦାରି ଜାରି ରଖିବା ସହ ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୩୯ ଫୁଟରେ ପହଞ୍ଚିଥିବା ବେଳେ ଆଗାମୀ ସମୟରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଲଗାତାର ବର୍ଷା ଯୋଗୁଁ ମହାନଦୀ ଓ ଏହାର ଉପନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଡ୍ୟାମକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି ।
ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ବନ୍ୟାର ପ୍ରଭାବ ଏବେ ବି ଜାରି ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।




