ମୟୁରଭଞ୍ଜରେ ସିରିଜ ଦୁର୍ଘଟଣା ୪ ମୃତ ,୩ ଆହତ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ୩ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । କରଞ୍ଜିଆ କାଦଡିହା ନିକଟରେ କାର ସହ ବସ୍ ମୁହଁ ମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କାର ଚାଳକ ଗୁରୁତର ଅଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତ ଭୂବନପୁର ଗ୍ରାମର ପ୍ରକାଶ କୁମାର ବଳ ସାମନ୍ତ ସେହି ଗ୍ରାମର ସଞ୍ଜୟ କୁମାର ବଳ ଏବଂ କୁକୁଡ଼ା ଖାଳି ଗ୍ରାମର ନୀଳମଣୀ ସାହୁଙ୍କୁ ନେଇ କରଞ୍ଜିଆ କାମରେ ଯାଉଥିବା ବେଳେ ପ୍ରଶାନ୍ତି ନାମକ ଏକ ଯାତ୍ରୀବାହୀ ବସକୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ନୀଳମଣୀ ଓ ସଞ୍ଜୟଙ୍କ ମୃତ୍ୟୁ ହୋଇଛି । ଚାଳକ ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ରେଫେର କରାଯାଇଥିବା ସୁଚନା ମିଳିଛି।
ସେହିପରି, କରଞ୍ଜିଆ ଥାନା ନିକଟରେ ଆଉ ଏକ ଦୁର୍ଘଟଣା ଘଟି ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଜାମସେଦପୁରରୁ ସ୍କର୍ପିଓ ଗାଡ଼ିରେ କିଛି ଲୋକ କେନ୍ଦୁଝର ତାରିଣୀ ଦର୍ଶନ ପାଇଁ ଆସୁଥିବାବେଳେ କରଞ୍ଜିଆ ବାମନାଶାଳ ନିକଟରେ ବାଇକରେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି କରଞ୍ଜିଆ ହସ୍ପିଟାଲକୁ ନେଇ ଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ସ୍କର୍ପିଓରେ ବସିଥିବା ଦୁଇ ମହିଳା ଆହତ ହୋଇଛନ୍ତି ।
ଅନ୍ୟପଟେ, କରଞ୍ଜିଆ କାଦଡିହା ନିକଟରେ କଲେଜରୁ ଫେରୁଥିବା ବେଳେ ପଡିଆ ବେଡା କଲେଜ ଅଧ୍ୟାପକଙ୍କୁ ଏକ ବାଇକ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପହଁଚିଥିବା ସୂଚନା ମିଳିଛି ।



