ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩୬୦ ଜଣ ଅଧିକାରୀ ଓ କର୍ମଚାରୀଙ୍କର ବଦଳି

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩୬୦ ଜଣ ଅଧିକାରୀ ଓ କର୍ମଚାରୀଙ୍କର ବଦଳି
Samaya Live News Picture
Published On

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ପ୍ରଶାସନକୁ ଅଧିକ ସକ୍ରିୟ, ସ୍ୱଚ୍ଛ ଓ ଜନମୁଖୀ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି ଗୃହ ଓ ନଗର ଉନ୍ନୟନ (H&UD) ବିଭାଗ। ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ପୌର ପରିଷଦରେ କାର୍ଯ୍ୟରତ ମୋଟ ୩୬୦ ଜଣ ଅଧିକାରୀ ଓ କର୍ମଚାରୀଙ୍କର ବଦଳି କରାଯାଇଛି। ଏହା ସହ ୬ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ (EO) ସେମାନଙ୍କ ମୂଳ କ୍ୟାଡରକୁ ଫେରାଇ ଦିଆଯାଇଛି ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ୟାପକ ଅଦଳବଦଳ କରାଯାଇଛି। ରାଜ୍ୟର ମ୍ୟୁନିସିପାଲ୍ କର୍ପୋରେସନ, ପୌରପାଳିକା ଏବଂ ଏନଏସିଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଓ ଜନସେବାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ବିଭାଗ ସୂଚନା ଦେଇଛି ।

ଏହି ବଦଳି ତାଲିକାରେ ୨୦ ଜଣ କ୍ଷେତ୍ରସ୍ତରୀୟ ଅଧିକାରୀ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ, ଡେପୁଟି କମିଶନର ଏବଂ ଆସିଷ୍ଟାଣ୍ଟ କମିଶନରଙ୍କୁ ନୂତନ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ସେହିପରି କାର୍ଯ୍ୟାଳୟ ପରିଚାଳନାକୁ ସୁଚାରୁ ରଖିବା ପାଇଁ ୨୬ ଜଣ ହେଡ୍ ଆସିଷ୍ଟାଣ୍ଟ, ୧୦୧ ଜଣ ସିନିୟର ଆସିଷ୍ଟାଣ୍ଟ ଓ ୧୧୯ ଜଣ ଜୁନିୟର ଆସିଷ୍ଟାଣ୍ଟଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି ।

ରାଜସ୍ୱ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୯୪ ଜଣ ଟ୍ୟାକ୍ସ କଲେକ୍ଟରଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି। ଏହା ଦ୍ୱାରା ପୌର ନିକାୟଗୁଡ଼ିକର ରାଜସ୍ୱ ଆଦାୟ ବୃଦ୍ଧି ପାଇବା ସହ ଆର୍ଥିକ ପରିଚାଳନାରେ ଅଧିକ ଶୃଙ୍ଖଳା ଆସିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ, କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାମ କରୁଥିବା ୬ ଜଣ ଅଧିକାରୀଙ୍କୁ ସେମାନଙ୍କ ମୂଳ କ୍ୟାଡରକୁ ଫେରାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ଓଏଏସ୍ ଓ ୪ ଜଣ ଓଆରଏସ୍ ଅଧିକାରୀ ରହିଛନ୍ତି ।

ବିଭାଗୀୟ ସୂତ୍ର ଅନୁସାରେ, ଏହି ବ୍ୟାପକ ଅଦଳବଦଳ ଫଳରେ ସହରାଞ୍ଚଳ ପ୍ରଶାସନରେ ନୂଆ ଉତ୍ସାହ ସୃଷ୍ଟି ହେବ । ଜନଅଭିଯୋଗର ତ୍ୱରିତ ସମାଧାନ, ଭିତ୍ତିଭୂମି ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ଏବଂ ନାଗରିକ ସେବାର ମାନ ବୃଦ୍ଧିରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

Tags: