ରାଜ୍ୟରେ ୩୧୮ମେଡିକାଲ ପିଜି ସିଟ୍‌ ବଢ଼ିଲା

ରାଜ୍ୟରେ ୩୧୮ମେଡିକାଲ ପିଜି ସିଟ୍‌ ବଢ଼ିଲା
Samaya Live News Picture
Published On

ଭୁବନେଶ୍ବର : ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକରେ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ମେଡିକାଲ ସିଟ୍ ସଂଖ୍ୟା ୩୧୮ଟି ବୃଦ୍ଧି ପାଇଛି । ଜାତୀୟ ମେଡିକାଲ କମିଶନ (NMC) ଏହି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବୃଦ୍ଧି ଫଳରେ ରାଜ୍ୟରେ ମୋଟ ପିଜି ମେଡିକାଲ ସିଟ୍ ସଂଖ୍ୟା ୬୨୦ରୁ ବଢ଼ି ୯୩୮ରେ ପହଞ୍ଚିଛି । 

ଜାତୀୟ ମେଡିକାଲ କମିସନ(ଏନଏମ୍‌ସି) ରାଜ୍ୟର ବିଭିନ୍ନ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ସ୍ନାତକୋତ୍ତର (ପିଜି) ଅନୁଷ୍ଠାନର ୧୪ଟି ବିଭାଗରେ ୩୧୮ଟି ପିଜି ଆସନ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି । ଏହାଦ୍ବାରା ଓଡ଼ିଶାରେ ମୋଟ ପିଜି ଆସନ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି । ପୂର୍ବରୁ ଥିବା ୭ଟି ଭେଷଜ ମହାବିଦ୍ୟାଳୟରେ ପିଜି ଆସନ ସଂଖ୍ୟା ୧୬୫କୁ ବୃଦ୍ଧି ହୋଇଥିବାବେଳେ ଚଳିତଥର ୫ଟି ମହାବିଦ୍ୟାଳୟକୁ ନୂଆ କରି ୧୫୩ ପିଜି ଆସନ ମିଳିଛି । ଏନଏମ୍‌ସି ଅନୁମୋଦନ ଅନୁସାରେ ରାଜ୍ୟର ନୂଆ ସରକାରୀ ଭେଷଜ ମହାବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ଥର ପାଇଁ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। 


• ଧରଣୀଧର ମେଡିକାଲ କଲେଜ (କେନ୍ଦୁଝର)  ୧୦ଟି ବିଭାଗରେ : ୪୪ଟି ସିଟ୍
• ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ (ତାଲଚେର) ୧୦ଟି ବିଭାଗରେ : ୩୨ଟି ସିଟ୍
• ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ (କୋରାପୁଟ) ୯ଟି ବିଭାଗରେ : ୨୮ଟି ସିଟ୍
• ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ (ଫୁଲବାଣୀ) ୮ଟି ବିଭାଗରେ : ୨୭ଟି  ସିଟ୍
• ସରକାରୀ ମେଡିକାଲ କଲେଜ (ସୁନ୍ଦରଗଡ଼) ୮ଟି ବିଭାଗରେ : ୨୨ଟି ସିଟ୍କୁ ଅନୁମୋଦନ ମିଳିଛି ।

ସେହିପରି ପୂର୍ବରୁ ଥିବା ମହାବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟରେ ପିଜି ଆସନ ସଂଖ୍ୟା ୨୦ରୁ ୫୩କୁ ବୃଦ୍ଧି ହୋଇଛି । ବଲାଙ୍ଗୀରସ୍ଥିତ ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ଆସନ ସଂଖ୍ୟା ୧୦ରୁ ବୃଦ୍ଧି ପାଇ ୫୪, ବାଲେଶ୍ବରସ୍ଥିତ ଫକୀର ମୋହନ ଭେଷଜ ମହାବିଦ୍ୟାଳୟରେ ୮ରୁ ବଢି ୫୪ ଓ ପିଜିଆଇଏମ୍‌ଇଆର୍‌ ଓ କ୍ୟାପିଟାଲ ହସ୍ପିଟାଲରେ ୩୬ରୁ ଏହି ସଂଖ୍ୟା ୪୭କୁ, ଏସ୍‌ସିବି ଭେଷଜ ମହାବିଦ୍ୟାଳୟରେ ୨୩୨ରୁ ୨୪୯କୁ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୧୨ରୁ ୧୫କୁ ଏବଂ ଭୀମସାର ବୁର୍ଲାରେ ୧୧ଟି ପିଜି ଆସନ ବୃଦ୍ଧି ହୋଇ ମୋଟ ସଂଖ୍ୟା ୧୫୫ରେ ପହଞ୍ଚିଛି  ।

ଏହି ଆସନ ଗୁଡ଼ିକରେ ରହିଛି ଆନାଟୋମି, ଆନାସ୍ଥେସିଓଲୋଜି, ବାୟୋକେମିଷ୍ଟ୍ରି, କମ୍ୟୁନିଟି ମେଡିସିନ୍, ଇଏନ୍‌ଟି, ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରୀ, ମାଇକ୍ରୋ-ବାୟୋଲୋଜି, ପ୍ରସୂତି ଓ ସ୍ତ୍ରୀରୋଗ, ଅର୍ଥୋପେଡିକ୍ସ, ପେଡିଆଟ୍ରିକ୍ସ, ପାଥୋଲୋଜି, ସାଇକିଆଟ୍ରି ଏବଂ ରେସ୍ପିରେଟୋରି ମେଡିସିନ୍ ଆଦି ୧୪ଟି ବିଭାଗ। ଏହାଦ୍ବାରା ରାଜ୍ୟର ଡାକ୍ତରୀ ଶିକ୍ଷାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା ଓ ଗବେଷଣାର ନୂତନ ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଯୋଗୁଁ ରାଜ୍ୟର ସ୍ବାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଏହାସହିତ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଏନଏମସିକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ରାଜ୍ୟରେ ଅଧିକ ସଂଖ୍ୟକ ଦକ୍ଷ ଓ ବିଶେଷଜ୍ଞ ଡାକ୍ତର ସୃଷ୍ଟି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ।

Tags: