୫ ବର୍ଷରେ ୩୧୦ ସରକାରୀ ବାବୁ ଗିରଫ,୨୨ ଜଣଙ୍କ ସମ୍ପତ୍ତି ବାଜ୍ୟାପ୍ତି - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୫ ବର୍ଷରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ୩୧୦ ସରକାରୀ ବାବୁ । ଏହା ସହ ୨୨ ଜଣଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ଭିଜିଲାନ୍ସ । ଏଥିସହ ସେମାନଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ୬୬୭ ଟଙ୍କା ଜବତ ହୋଇଛି । ଆଜି ଗୃହରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ବିଗତ ୫ ବର୍ଷ ଠାରୁ ବର୍ତ୍ତମାନ ଯାଏଁ ରାଜ୍ୟର କେତେଜଣ ସରକାରୀ ଅଧିକାରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ପାଇଁ ଗିରଫ ହୋଇଛନ୍ତି? ତେବେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ ୩୧୦ ସରକାରୀ ବାବୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଦୁର୍ନୀତି ନିବାରଣ ବିଭାଗ ଗତ ତିନି ବର୍ଷ ଅର୍ଥାତ୍ ଜାନୁଆରୀ ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ କରିଛି । ଏଥିରୁ ୩୩୭ଟି ମାମଲାରେ ଦଣ୍ଡ ବିଧାନ ହୋଇଛି । ୬ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି । ଏହି ସମ୍ପତ୍ତିକୁ ଅନ୍ୟତ୍ର ବିନିଯୋଗ କରାଯାଇଛି । ଏଥିରେ ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥିକ୍ ଡିସ୍ପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ତିଆରି ହୋଇଛି । ଏହାଛଡ଼ା ୩୨,୫୦, ୮୪୪ ଟଙ୍କା ରାଜ୍ୟ କୋଷାଗାରରେ ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।



