୨ଟି ବାଇକ ଦୁର୍ଘଟଣାରେ ୩ଯୁବକଙ୍କ ମୃତ୍ୟୁ
ଆଠଗଡ଼/ମୟୁରଭଞ୍ଜ : ରଜ ସଂକ୍ରାନ୍ତି ଭଳି ଦିନରେ ଦୁଇ ଦୁଇଟି ସ୍ଥାନରୁ ଆସିଛି ଦାରୁଣ ଦୁଃସମ୍ବାଦ I ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । କପ୍ତିପଦା-ତେଲିପାଳ ନିକଟରେ ଏକ ନିର୍ମାଣାଧୀନ ପୋଲ ତଳକୁ ବାଇକ୍ ଖସିପଡ଼ିବା ଫଳରେ ଦୁଇଜଣ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତକ ଦୁଇଜଣ ହେଲେ ଔପଦା ଥାନା ଅନ୍ତର୍ଗତ ଖୁମକୁଟ ଗାଁର ଦିଲୀପ ସୋରେନ ଓ ନରେନ୍ଦ୍ର ମୁର୍ମୁ। ସୂଚନା ଅନୁଯାୟୀ, ଦିଲୀପ ଓ ନରେନ୍ଦ୍ର ଉଦଳାରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିଲେ। ତେବେ ପୋଲ ନିର୍ମାଣ ଚାଲିଥିବା ସ୍ଥଳରେ ଠିକାଦାରଙ୍କ ଦ୍ୱାରା ଏକ ଡ଼ାଇଭର୍ସନ ରାସ୍ତା ନିର୍ମାଣ ହୋଇଛି। ଏହି ଯୁବକ ଦ୍ବୟ ବାଙ୍କ ରାସ୍ତା ଜାଣି ନପାରି ପୋଲ ତଳକୁ ବାଇକ ସହ ଖସି ପଡ଼ି ମୃତ୍ୟୁ ଘଟିଛି। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବରହମପୁର ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।
ସେପଟେ ,ବଡମ୍ବା ଟି-ସେତୁ ଉପରେ ଘଟିଛି ଭୟଙ୍କର ଦୁର୍ଘଟଣା । ଭଉଣୀ ଘରକୁ ୨ ଭାଇ ରଜ ଭାର ନେଇ ଯିବାବେଳେ ଅଟୋ ସହ ବାଇକ୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ମୃତ ବାଇକ୍ ଆରୋହୀ ଯୁବକ ଜଣକ ହେଲେ ବଡମ୍ବା ବୃନ୍ଦାବନପୁର ଗ୍ରାମର ଶୁସିଲ କୁମାର ଗୋଛି ଓରଫ ହାପି ଗୋଛି । ସେହିଭଳି ଅଟୋରେ ଥିବା ୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ମାନେ ଟି-ସେତୁ ନିକଟରେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ପାଇ ବଡ଼ମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।




