ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲ ସହ ଜୋରିମାନା, ଜାରି ହେଲା ଏସ୍‌ଓପି

ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲ ସହ ଜୋରିମାନା, ଜାରି ହେଲା ଏସ୍‌ଓପି
Samaya Live News Picture
Published On

ଭୁବନେଶ୍ବର : ଜନଗଣନାକୁ ଶୃଙ୍ଖଳିତ କରିବା ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ । ଜନଗଣନା କାର୍ଯ୍ୟରେ ନିୟୋଜିତ ସୁପରଭାଇଜର ଓ ଏନ୍ୟୁମେରେଟରଙ୍କୁ ସୁରକ୍ଷା ମିଳିବ। ସମ୍ବେଦନଶୀଳ ସ୍ଥାନକୁ ଜନଗଣନା କର୍ମଚାରୀଙ୍କ ସହ ପୁଲିସ ଯିବ। ଆବଶ୍ୟକ ହେଲେ ସରକାର ସ୍ଥାନୀୟ ଅଞ୍ଚଳର ମୁରବିଙ୍କ ସହଯୋଗ ନେବେ।  ଯଦି କୌଣସି ବ୍ୟକ୍ତି ଏହି କାର୍ଯ୍ୟ ନିର୍ବାହ ବେଳେ ବାଧା ସୃଷ୍ଟି କରନ୍ତି ତେବେ  ୧୯୪୮ ଜନଗଣନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀ ସାବ୍ୟସ୍ତ ହେଲେ ଜୋରିମାନା, ଏପରିକି ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ଚେତାଇ ଦିଆଯାଇଛି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଗୁରୁବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର(ଏସ୍‌ଓପି) ଜାରି କରିଛନ୍ତି।

ଏସ୍‌ଓପିରେ ଅନୁସାରେ , ଜନଗଣନା କର୍ମଚାରୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏନ୍ୟୁମେରେଟର ଓ ସୁପରଭାଇଜର (ଇଆଣ୍ଡଏସ୍‌) ମାନେ ସବୁବେଳେ ତାଙ୍କର ଆଧାରକାର୍ଡ ପିନ୍ଧିବାକୁ ପଡ଼ିବ। କ୍ଷେତ୍ରସ୍ଥଳରେ କାର୍ଯ୍ୟ ସମୟରେ ସେମାନେ ନିଯୁକ୍ତି ପତ୍ର ପାଖରେ ରଖିବେ। ଗ୍ରୀଷ୍ମପ୍ରବାହ ଅତ୍ୟଧିକ ଯୋଗୁ ଅଂଶୁଘାତ ଏଡ଼ାଇବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବେ। ଦିନ ୧୧ଟାରୁ ୩ଟା ମଧ୍ୟରେ ଜନଗଣନା କାର୍ଯ୍ୟରୁ ନିବୃତ ରହିବେ ଏବଂ ପାଖରେ ଓଆର୍‌ଏସ୍‌ ନେବେ।

ସୂଚନାନୁସାରେ , ଢେଙ୍କାନାଳ ଜିଲା କାମାଖ୍ୟାନଗରରେ ଜନଗଣନା କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା ପରେ ସରକାର ସେମାନଙ୍କ ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଅନୁପାଳନ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ମ୍ୟୁନିସିପାଲ କମିସନରଙ୍କୁ ପତ୍ର ଲେଖି ନିର୍ଦେଶ ଦିଆଯାଇଛି।ବିଭାଗ ନିଜ ଚିଠିରେ ଉଲ୍ଲେଖ କରିଛି ଯେ, ନିକଟରେ ଜନଗଣନାକାରୀ ଓ ସୁପରଭାଇଜରଙ୍କ ଉପରେ ଆକ୍ରମଣ ଚିନ୍ତାର ବିଷୟ। କର୍ମଚାରୀମାନେ ଘରକୁ ଘର ବୁଲି ଗଣନା କରିବା ସମୟରେ ନିଜ କାର୍ଯ୍ୟାଳୟର ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ସାଙ୍ଗରେ ରଖିବେ। ସୁପରଭାଇଜରମାନେ ପ୍ରତି ଘଣ୍ଟାରେ ଥରେ ଗଣନାକାରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷା ଓ ଗଣନା କାର୍ଯ୍ୟ କଥା ବୁଝିବେ। ସମ୍ବେଦନଶୀଳ ଅଞ୍ଚଳରେ ଇଆଣ୍ଡଏସ୍‌ମାନେ ସୁରକ୍ଷା ପାଇଁ ସମ୍ମିଳିତ ହୋଇ କାମ କରିିବେ। ଯଦି କୌଣସିଠାରେ ଜନଗଣନାବେଳେ ବିପଦ ଆଶଙ୍କା କରିବେ ସେ ସ୍ଥାନକୁ ଚିହ୍ନଟ କରି ସୁରକ୍ଷାବଳ ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଯିବେ। ସୁପରଭାଇଜରମାନେ ଏନ୍ୟୁମେରେଟରମାନଙ୍କୁ ଟ୍ରାକ୍‌ କରି କାମର ଗତିବିଧି ଜାଣିପାରିବେ ଏବଂ ସୁରକ୍ଷା ଯୋଗାଇଦେବେ। ଯଦି କୌଣସି ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଲା ତେବେ ତୁରନ୍ତ ସେଠାରୁ ହଟିଯିବେ କିମ୍ବା ସମସ୍ୟାକୁ ଏଡ଼ାଇବା ପାଇଁ ଚେଷ୍ଟା କରିବେ। ଏପରି ଘଟଣାକୁ ଶୀଘ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।

 

Tags: