ନଦୀରେ ବୁଡି ୩ ସାଙ୍ଗଙ୍କ ମୃତ୍ୟୁ
କେନ୍ଦ୍ରାପଡା : ଗାଧୋଇବାକୁ ଯାଇ ଲୁଣା ନଦୀରେ ବୁଡ଼ି ୩ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ହିମାଂଶୁ ସତପଥୀ, ଚିରଞ୍ଜିବୀ ପରିଡ଼ା ଓ ସବ୍ୟସାଚୀ ସ୍ୱାଇଁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟ ୨ଯୁବକଙ୍କୁ ଉଦ୍ଧାର କରାଯାଇଛି ।
ସୂଚନାନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୧୧ଟା ସମୟରେ ଗହଗା ଗାଁର ୫ ଜଣ ଯୁବକ ଏକାଠି ହୋଇ ଲୁଣା ନଦୀର ଦାନପୁର ବାଲିଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ପ୍ରଥମେ ହିମାଂଶୁ ପାଣିରେ ଭାସିଯାଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ସବ୍ୟସାଚୀ ଓ ଚିରଞ୍ଜୀବ ନଦୀକୁ ପଶିଥିଲେ। କିନ୍ତୁ ନଦୀରେ ପାଣି କମ୍ ଥିଲେ ମଧ୍ୟ ଚୋରା ବାଲିରେ ପାଦ ଫସିଯିବାରୁ ୩ ଜଣ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ଅନ୍ୟ ଦୁଇ ଯୁବକ ଗାଁ ଲୋକଙ୍କୁ ଡାକିବା ସହ ବୁଡ଼ିଯାଇଥିବା ସାଙ୍ଗମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ସନ୍ଧ୍ୟା ପୂର୍ବରୁ ସବ୍ୟସାଚୀ ସ୍ୱାଇଁଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା।
ମୃତ ଯୁବକମାନଙ୍କ ମଧ୍ୟରୁ ହିମାଂଶୁ ସତପଥୀ ଜଣେ ବାଇକ୍ ମେକାନିକ୍ ଥିବାବେଳେ ଚିରଞ୍ଜିବୀ ପରିଡ଼ା ଓ ସବ୍ୟସାଚୀ ସ୍ୱାଇଁ କଲେଜରେ ପାଠ ପଢ଼ୁଥିଲେ ବୋଲି ସୂଚନା ମିଳିଛି। ଏକାଠି ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକଙ୍କ ଏପରି ଅକାଳ ମୃତ୍ୟୁକୁ ନେଇ ଗହଗା ଗାଁ ସମେତ ଆଖପାଖ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।




