୨ଟି ସ୍ଥାନରେ ଟ୍ରକ ଧକ୍କାରେ ୩ ମୃତ, ୧ ଆହତ
ଅନୁଗୁଳ/ବାଲେଶ୍ୱର : ୨ଟି ସ୍ଥାନରେ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଅନୁଗୁଳରେ ୨ ଜଣ କାର ଯାତ୍ରୀ ଥିବାବେଳେ ବାଲେଶ୍ୱରରେ ଜଣେ ବାଇକ ଆରୋହୀ ଅଛନ୍ତି ।
ଗତକାଲି ରାତିରେ ଅନୁଗୁଳ ଜରପଡ଼ା ଥାନା ମରାତିରା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ରକ ପଛପଟେ କାର ପିଟି ହୋଇ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧ ଆହତ ହୋଇଛନ୍ତି । ମୃତକ ହେଲେ ତାଳଚେରର ଅମିତ କୁମାର ସାହୁ ଓ ଭୀଷ୍ମ ଦାସ । ଗୁରୁତର ହେଲେ ବନ୍ତଳାର ଗୋପାଳ ସାହୁ । ଅମିତ ସାହୁ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଉଥିଲେ । ତିନି ଜଣ ଏକ ବାହାଘର ଭୋଜିରେ ଯୋଗ ଦେଇ କାରରେ ଜରପଡାରୁ ତାଳଚେର ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତେବେ ଦୁର୍ଘଟଣାର ମାତ୍ର କିଛି ସମୟ ପୂର୍ବରୁ ଭୋଜିଖାଇ ହସଖୁସିରେ ଫେରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତାହା ଏବେ ଭାଇରାଲ ହେଉଛି । ଦୁର୍ଘଟଣା ପରେ ତାଳଚେର ଓ ଅନୁଗୁଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସେହିପରି ,ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ସୁଚନା ଅନୁଯାୟୀ, ବିଳମ୍ବିତ ରାତିରେ ବାଲେଶ୍ବରରୁ ବାଲିଆପାଳ ଅଭିମୁଖେ ଯାଉଥିବା ଏକ ବାଇକ ପଛପଟୁ ଧାନ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ବାଇକଟି ଟ୍ରକ ଭିତରେ ପସି ଯାଇଥିଲା । ଯାହା ଫଳରେ ବାଇକ ଆରୋହୀ ଜଣକ ସମ୍ପୂର୍ଣ୍ଣ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ ।
ଖବର ପାଇ ଘଟଣାସ୍ଥଳରେ ରାଜପଥ ପେଟ୍ରୋଲିଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଧାନ ବୋଝେଇ ଟ୍ରକକୁ ଜବତ କରି ବସ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବାଇକ ଆରୋହୀଙ୍କ ପରିଚୟ ମିଳି ନଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ବାଲିଆପାଳ ଅଞ୍ଚଳର ବୋଲି ଜଣାପଡ଼ିଛି ।



