ପୃଥକ ଦୁର୍ଘଟଣାରେ ୩ ମୃତ ୧ ଆହତ
By: Samaya Live News
ଭଦ୍ରକ/ରାୟଗଡା : ଗତ ବିଳମ୍ବିତ ରାତିରେ ୨ଟି ସ୍ଥାନରେ ବାଇକ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ ରାତିରେ ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାତିପ୍ରାୟ ୧୧ ଟା ବେଳେ ଧାମରା ନିକଟ ପାରପୋଖରି ଛକ ନିକଟରେ ଏକ ଅଜଣା ଗାଡି ବାଇକ କୁ ଧକ୍କା ଦେଇଥିଲା ଇ ଫଳରେ ବାଇକରେ ଥିବା ୨ ସାଙ୍ଗଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତ ଦୁଇ ଯୁବକ ହେଲେ ଯାଜପୁର ଜିଲା ସୁକିନ୍ଦା ଥାନା ଅଧିନସ୍ଥ ବୈରିମାଳ ଗାଁର ଚିନ୍ମୟ ମଲ୍ଲିକ ଓ ଦୀପକ ରାଉତ । ସେମାନେ ସ୍ଥାନୀୟ ଅଞ୍ଚଳରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ।
ଗତକାଲି ରାତିରେ ସେମାନେ ଏକ ବାଇକ ଯୋଗେ ବିରସ ଛକରୁ ବାସୁଦେବପୁର ଆଡ଼କୁ ଆସୁଥିବା ବେଳେ ଏକ ଅଜଣା ଆଇରନ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ବାସୁଦେବପୁର ଡାକ୍ତର ଖାନା ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଦୁଇ ମୃତଦେହକୁ ବାସୁଦେବପୁର ଡାକ୍ତରଖାନାରେ ରଖାଯାଇଛି। କସିଆ ସାମୁଦ୍ରିକ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସେହିପରି ଗତ ବିଳମ୍ବିତ ରାତିରେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏକ ବାଇକ୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକ ପାଲକା ଶ୍ରୀନୁ ଓ ଆହତ ଯୁବକ ତାଣ୍ଡିଲି କିରଣ। ସେମାନଙ୍କ ଘର ରାମାନାଗୁଡା ବ୍ଲକ ଅନ୍ତର୍ଗତ ଭାମିନୀ ଗ୍ରାମରେ ବୋଲି ଜଣା ପଡିଛି।
ଉଭୟ ଯୁବକ ବାଇକ ଯୋଗେ କୁଜେନ୍ଦ୍ରି ଅଂଚଳରୁ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଏକ ଜମିରେ ପଡି ରହି ଥିଲେ। ସକାଳୁ ସ୍ଥାନୀୟ ବାସିନ୍ଦା ଦେଖି ଗୁଣପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଡାକ୍ତର ପାଲକା ଶ୍ରୀନୁଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଯୁବକଙ୍କ ଚିକିତ୍ସା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଜାରି ରହିଥିବା ଜଣାପଡିଛି । ଗୁଣପୁର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
Tags:



