ଜନଗଣନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ

ଜନଗଣନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୩ଗିରଫ
Samaya Live News Picture
Published On

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ଆନନ୍ତପୁର ବସ୍ତିରେ ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ । ବାପା ଓ ୨ ପୁଅଙ୍କ ଆକ୍ରମଣରେ ୪ ଜନଗଣନା ଅଧିକାରୀ ଲହୁଲୁହାଣ ହୋଇଥିଲେ । ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଶିକ୍ଷୟିତ୍ରୀ ମଧ୍ୟ ରହିଥିଲେ । ଏହି ଘଟଣାରେ ସମ୍ପୃକ୍ତ ବାପା ଓ ୨ ପୁଅକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ବୟ ମହିଳା କର୍ମଚାରୀଙ୍କ ସ୍କୁଟି ଭାଙ୍ଗି ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। 

ସୂଚନାନୁସାରେ, କାମାକ୍ଷାନଗର ଏନଏସି କାର୍ଯ୍ୟାଳୟର ରଘୁନାଥ ଦୀକ୍ଷିତଙ୍କ ନେତୃତ୍ୱରେ ୪ ଜଣ କର୍ମଚାରୀ ବୁଧବାର ଅନନ୍ତପୁର ବସ୍ତିରେ ଜନଗଣନା କରିବାକୁ ଯାଇଥିଲେ। ବସ୍ତିର ନିକୁଞ୍ଜ ବିହାରୀ ଶତପଥୀଙ୍କ ଘରକୁ ଜନଗଣନା କରିବାକୁ ଯାଇଥିବା ବେଳେ ନିକୁଞ୍ଜ ଶତପଥୀ ଏବଂ ତାଙ୍କ ପୁଅ ୪ଜଣ କର୍ମଚାରୀଙ୍କୁ ମାଡ ମାରିଥିଲେ। ଖବରପାଇ ଉପଜିଲାପାଳ ଦିନମଣି ନାୟକ, ତହସିଲଦାର ଶୁଭଙ୍କର ମହାନ୍ତି,ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

ସେପଟେ, ଏହି ଘଟଣାକୁ ଗୁରୁତର ସହ ନେଇଛି ପ୍ରଶାସନ । ଘଟଣା ସାମ୍ନାକୁ ଆସିବା ପରେ ରାଜସ୍ବ ଓ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ,୨୦୨୬ରେ ହେଉଥିବା ଜନଗଣନା ହାଇଟେକ୍ ଜନଗଣନା । ଘର ଘର ଯାଇକି ଜନଗଣନା କରିବା ଏକ ଚ୍ୟାଲେଞ୍ଜ । ହିଟ୍ ଓ୍ୱେଭ୍ ଏକ ବଡ଼ ସମସ୍ୟା । ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି । କିଛି ଅସୁସ୍ଥ ହେବାର ମଧ୍ୟ ଖବର ଆସିଛି । ତେବେ ଆକ୍ରମଣକାରୀଙ୍କ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ ।  ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଯେଉଁଠି ଆକ୍ରମଣ ହୋଇଛି,ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଅପରାଧୀଙ୍କ ସ୍ଥାନ ନାହିଁ । ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ । ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯାଇଛି  ।

Tags: