ନିଆଳିର ୨୭୫ ଅପମିଶ୍ରିତକାରୀଙ୍କ ନାଁ ରେ ଏତଲା - ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ଛେନା ଅପମିଶ୍ରଣକୁ ନେଇ ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କଟକ ଜିଲ୍ଲା ନିଆଳି ଅଞ୍ଚଳର ବହୁ ଚର୍ଚ୍ଚିତ ଅପମିଶ୍ରିତ ପନିର ଓ ଛେନା କାରବାର ମାମଲାରେ ୨୭୫ ଜଣ ବ୍ୟବସାୟୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଠୋର ହେଉଛନ୍ତି ରାଜ୍ୟ ସରକାର ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପନିର ଓ ଛେନା ଅପମିଶ୍ରଣ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା । ଚଢାଉ ବେଳେ କେବଳ କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ସେହିଭଳି ନିଆଳିରେ ଚଢ଼ାଉ କରି ଅପମିଶ୍ରିତକାରୀଙ୍କ ବିରୋଧରେ BNS ଧାରା ୨୭୫, ୩୧୮, ୪୩୫ ଅନୁସାରେ ତାଙ୍କ ନାଁରେ ଏତଲା କରାଯାଇଛି । ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ ଦୁଇ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ମୋଟ୍ ୪୧୩ଟି ମାମଲା ରୁଜୁ କରାଯାଇଛି । ୭୩୯୨ଟି ଲିଗାଲ ସାମ୍ପଲ କଲେକ୍ସନ କରାଯାଇଛି ।
ସୂଚନାନୁସାରେ, ଗତ ଅଗଷ୍ଟ ମାସରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ନିଆଳିରୁ କଟକ ଚାଲାଣ ହେଉଥିବା ପ୍ରାୟ ୭୧ ରୁ ୭୩ କ୍ଵିଣ୍ଟାଲ ଅପମିଶ୍ରିତ ପନିର ଜବତ କରି ନଷ୍ଟ କରାଯାଇଥିଲା । ବିଏମସି, କେଏମସି ଓ ଆରଏମସି ପକ୍ଷରୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର,ରାଉରକେଲା ଭଳି ଆଉ କେତେକ ସ୍ଥାନରେ ଜୋରଦାର କରାଯାଇଥିଲା । କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପଲ ସଂଗ୍ରହ ହୋଇଥିଲା ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
ନିଆଳି ଅଞ୍ଚଳରୁ ଜବତ ହୋଇଥିବା ପନିର ନମୁନା ପରୀକ୍ଷା ପାଇଁ ହରିୟାଣାସ୍ଥିତ ପ୍ରୟୋଗଶାଳାକୁ ପଠାଯାଇଥିଲା । ରିପୋର୍ଟ ଅନୁଯାୟୀ, ଏହି ପନିରରେ ମଇଦା, ଷ୍ଟାର୍ଚ୍ଚ ଏବଂ ଡିଟରଜେଣ୍ଟ ଭଳି ମାରାତ୍ମକ ରସାୟନିକ ପଦାର୍ଥ ଅପମିଶ୍ରଣ କରାଯାଉଥିଲା । ଲ୍ୟାବ ର ରିପୋର୍ଟ ଅନୁସାରେ ନିଆଳି ପନିର ଖାଇବା ଅନୁପଯୁକ୍ତ ବୋଲି ସୂଚନା ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଦାୟିତ୍ୱ ରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାର କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ (FSO) ଅମିତା ଦାସଙ୍କୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରକୁ ବଦଳି କରିଛନ୍ତି ।




