ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୨୩ ଟି ଟ୍ରକ ଟର୍ମିନାଲ - ପରିବହନ ମନ୍ତ୍ରୀ
ଭୁବନେଶ୍ବର : ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ବଡ଼ ସୂଚନା । ଭିଡ଼ ନିୟନ୍ତ୍ରଣ ପାଇଁ ଚାଲିଛି ଯୋଜନା । ପଳାଶୁଣୀରେ ଭିଡ କମାଇବା ପାଇଁ ୬ ଲେନ ରାସ୍ତା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ଶେଷ ହେବ ୨୩ଟ୍ରକ ଟର୍ମିନାଲ ବ୍ୟବସ୍ଥା । ଚଳିତମାସ ଶେଷ ସୁଦ୍ଧା ଟ୍ରକ ଟର୍ମିନାଲ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସଡ଼କ ସୁରକ୍ଷାକୁ ନେଇ ଦୃଢ଼ ପଦକ୍ଷେପ ନେବାକୁ ଯାଉଛି ରାଜ୍ୟ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ ପାଳନ କରିବାକୁ ଆଦେଶ ଦେଇଛି ।
ରାଜ୍ୟରେ ଜାତୀୟ ରାଜପଥ କଡରେ ନିର୍ମାଣ ହେଉଛି ୨୩ଟି ଟ୍ରକ ଟର୍ମିନାଲ । ଏଥିରେ ହୋଟେଲ ସହ ପାର୍କିଂ ସୁବିଧା ରହିବ । ଶେଷ ପର୍ଯ୍ୟାୟରେ କାମ ଚାଲିଛି। ନ୍ୟାସନାଲ ହାଇଓ୍ବେ ଲଜିଷ୍ଟିକକୁ ମିଳିଥିଲା ପରିଚାଳନା ଦାୟିତ୍ବ । କାମରେ ବିଳମ୍ବ କରୁଥିବାରୁ ଠିକା ସଂସ୍ଥାକୁ ତାଗିଦ କରିଛନ୍ତି ମନ୍ତ୍ରୀ । ନୂଆ ସଂସ୍ଥାକୁ କାମ ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା।
ସେହିପରି ଜାତୀୟ ରାଜପଥରେ ଭାରୀ କିମ୍ବା ବ୍ୟବସାୟିକ ଯାନଗୁଡ଼ିକ ଏଣିକି ଯେଉଁଠି ସେଇଠି ପାର୍କିଂ କରିପାରିବେ ନାହିଁ। କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ପାର୍କିଂ କରିବାକୁ ଅନୁମତି ମିଳିବ। ଏହାକୁ ATMS ଏବଂ ଇ-ଚାଲାଣ ମାଧ୍ୟମରେ କଡ଼ାକଡ଼ି ନଜର ରଖାଯିବ ।
ମନ୍ତ୍ରୀ କହିଛନ୍ତି , ସଡ଼କ ଦୁର୍ଘଟଣାରେ ଯେତିକି ମୃତ୍ୟୁ ହେଉଛି ତା’ର ୩୦% ଜାତୀୟ ରାଜପଥରେ ହେଉଛି। ସେଥିପାଇଁ ୬୦ ଦିନରେ ଜବରଦଖଲ ହଟାଯିବା ସହ ରାସ୍ତାକଡ଼ରେ ବେଆଇନ ପାର୍କିଂ ହୋଇପାରିବ ନାହିଁ । ରାଜପଥ କଡ଼ରେ ଥିବା ବେଆଇନ ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।



