ଏସଆଇଆର ପରେ ରାଜ୍ୟରୁ ବାଦ୍‌ ପଡିଲେ ୨୦ଲକ୍ଷ ୫୭ହଜାର ଭୋଟର

ଏସଆଇଆର ପରେ ରାଜ୍ୟରୁ ବାଦ୍‌ ପଡିଲେ ୨୦ଲକ୍ଷ ୫୭ହଜାର ଭୋଟର
Samaya Live News Picture
Published On

ଭୁବନେଶ୍ୱର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସଂଶୋଧିତ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ ନାମ ବାଦ୍‌ ଦିଆଯାଇଛି । ସୋମବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍‌. ଏସ୍‌.ଗୋପାଳନ ଏହି ସୂଚନା ଦେଇଛନ୍ତି । 

ସିଇଓଙ୍କ ସୂଚନା ଅନୁଯାୟୀ, ଏସ୍‌ଆଇଆର୍‌ ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ତେବେ ଡ୍ରାଫ୍ଟ ରୋଲ୍‌ ପୂର୍ବରୁ ୨୦,୧୨,୫୫୭ ଜଣ ଏବଂ ଡ୍ରାଫ୍ଟ ପରେ ୪୪,୭୭୭ ଜଣଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ବାଦ୍‌ ପଡ଼ିଛି। ବାଦ୍‌ ପଡ଼ିଥିବା ଭୋଟରଙ୍କ  ମଧ୍ୟରେ  ମୃତ ଭୋଟର ୮,୩୨,୫୪୪ ରହିଛନ୍ତି। ସେହିପରି ସ୍ଥାନାନ୍ତରିତ ୮,୦୮,୨୦୫ ଭୋଟର,  ଅନୁପସ୍ଥିତ ୧,୯୯,୨୪୯ ଭୋଟର,  ଏକାଧିକ ସ୍ଥାନରେ ନାମ ୧,୫୮,୧୧୮ ଭୋଟର ଓ  ଅନ୍ୟାନ୍ୟ କାରଣ ପାଇଁ  ୧୪,୪୪୧ ଜଣ ରହିଛନ୍ତି ।

ସୂଚନାନୁସାରେ, ମେ’ ୩୦ରୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ବିଶେଷ ସଂଶୋଧନ ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିଲେ। ଗଣନା ପର୍ଯ୍ୟାୟ (ମେ’ ୩୦ରୁ ଜୁନ ୨୮) ମଧ୍ୟରେ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନଙ୍କ ଦ୍ୱାରା ବଣ୍ଟାଯାଇଥିବା ଫର୍ମଗୁଡ଼ିକ ମଧ୍ୟରୁ ୩,୧୩,୮୭,୦୩୪ ଜଣ (୯୩.୯୭%) ଭୋଟର ଫର୍ମ ପୂରଣ କରି ଜମା କରିଥିଲେ। ଗତ ଜୁଲାଇ ୫, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ରୋଲ୍‌ରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଥିଲା। ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା। ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ  ୨,୪୫,୭୨୦ ଜଣ ନୂଆ ଭୋଟର ବୃଦ୍ଧି ପାଇଛନ୍ତି।

ଚିଠା ତାଲିକାରେ ଥିବା ୩.୧୩ କୋଟି ଭୋଟରଙ୍କ ମଧ୍ୟରୁ ୩ କୋଟି ଭୋଟର ନିଜର କିମ୍ବା ବଂଶଗତ ବିବରଣୀ ସହ ମ୍ୟାପ ହୋଇଥିବା ବେଳେ ୧୨.୯୮ ଲକ୍ଷ ଭୋଟରଙ୍କ ମ୍ୟାପିଂ ହୋଇପାରି ନ ଥିଲା। ଏହି ମ୍ୟାପ ହୋଇ ନ ଥିବା ଭୋଟର ଏବଂ ତଥ୍ୟରେ ତ୍ରୁଟି ଥିବା ୪୫.୩୭ ଲକ୍ଷ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାଞ୍ଚ ନୋଟିସ ଜାରି କରାଯାଇଥିଲା। ଦାବି ଓ ଆପତ୍ତି ଶୁଣାଣି ପରେ ୪୪,୭୭୭ ଜଣ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍‌ ଦିଆଯିବା ସହ ୨ ଲକ୍ଷ ୯୦ ହଜାର ୪୯୭ ନୂତନ ଭୋଟରଙ୍କ ନାମ ଯୋଡ଼ାଯାଇଛି। ସମୀକ୍ଷା ଓ ପୁନର୍ଗଠନ ପରେ ରାଜ୍ୟରେ ମୋଟ ପୋଲିଂ ଷ୍ଟେଶନ ସଂଖ୍ୟା ୪୫,୨୫୦ ହୋଇଥିବା ସିଇଓ ସୂଚନା ଦେଇଛନ୍ତି।

 

Tags: