ସମୁଦ୍ରରେ ଭାସି ଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ
ଜଳପ୍ରପାତରେ ଖସି ସଚିବାଳୟ କର୍ମଚାରୀଙ୍କ ମୃତ୍ୟୁ
ପୁରୀ : ସମୁଦ୍ର ଗାଧୋଇବା ହେଲା କାଳ । ଗାଧୋଇବାବେଳେ ଭାସି ଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ । ଲାଇଫ ଗାର୍ଡଙ୍କ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ଅନୁସାରେ , ଆଜି ସକାଳେ ଦୁଇ ପର୍ଯ୍ୟଟକଙ୍କ ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ରିପ୍ କରେଣ୍ଟରେ ଟାଣି ହୋଇ ବଡ଼ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖବର ଲେଖା ଯିବା ବେଳକୁ ଉଭୟଙ୍କ ପରିଚୟ ମିଳିପାରିନଥିଲା ।
ସେପଟେ, କନ୍ଧମାଳ ଜିଲ୍ଲା ପୁତୁଡ଼ି ଜଳପ୍ରପାତରେ ଖସିପଡି ସଚିବାଳୟ ର ଜଣେ କର୍ମଚାରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତଦେହ ସାଳନ୍ଦୀ ନଦୀରୁ ଉଦ୍ଧାର ହୋଇଛି । ମୃତକ ହେଲେ ସ୍ୱାଧୀନ ବିଶ୍ୱାଳ । ସଚିବାଳୟରେ ସେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବରେ କାର୍ଯ୍ୟରତ ଥିଲେ ।
ସୂଚନାନୁସାରେ ,ରବିବାର ଦିନ ସ୍ୱାଧୀନ ବିଶ୍ୱାଳ ସହକର୍ମୀଙ୍କ ସହ କନ୍ଧମାଳ ଜିଲ୍ଲାର ପୁଟୁଡି ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଗାଧୋଇବା ସମୟରେ ତାଙ୍କ ଗୋଡ଼ ଖସି ଯିବାରୁ ପାଣିରେ ଭାସିଯାଇ ନିଖୋଜ ଥିଲେ । ତାଙ୍କ ସହକର୍ମୀମାନେ ତାଙ୍କୁ ଖୋଜିବା ପାଇଁ ପ୍ରବଳ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ସ୍ୱାଧିନଙ୍କ ନିଖୋଜ ନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦିଆଯାଇଥିଲା । ପୋଲିସ, ODRAF ଏବଂ ଅଗ୍ନିଶମ କର୍ମଚାରୀମାନେ ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସୋମବାର ସକାଳେ ଖୋଜାଖୋଜି ସମୟରେ ସାଲୁଙ୍କଇ ନଦୀରୁ ସ୍ୱାଧିନଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।



