ପୋଖରୀରେ ବୁଡି ୨ ଛାତ୍ରୀ ମୃତ
ବାସୁଦେବପୁର : ପୁଣି ପୋଖରୀ ଗାଧୁଆ ହେଲା କାଳ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅରଣ୍ଡୁଆ ମଲ୍ଲିକ ସାହିରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ସାଙ୍ଗଙ୍କ ମୃତ୍ୟୁ । ମୃତକ ହେଲେ ଅରଣ୍ଡୁଆ ମଲ୍ଲିକସାହିର ସତ୍ୟବ୍ରତ ବାରିକଙ୍କ ୧୦ ବର୍ଷର ଝିଅ ତପଦୀପା ଓ ବିଜୟ ବାରିକଙ୍କ ଝିଅ ଅର୍ଣ୍ଣପୂର୍ଣ୍ଣା ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ତପଦୀପା ଚତୁର୍ଥ ଓ ଅନ୍ନପୂର୍ଣ୍ଣା ଷଷ୍ଠ ଶ୍ରେଣୀରେ ପଢୁଥିଲେ । ପରିବାରକୁ ନଜଣାଇ ପିଲାମାନେ ସ୍କୁଲରେ ରଙ୍ଗ ଖେଳି ୫ଜଣ ସାଙ୍ଗଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଆସିଥିଲେ । ଏହି ସମୟରେ ପୋଖରୀ ମଧ୍ଯରେ ଶାମୁକା ଖୋଜିବାକୁ ୨ଜଣ ଯାଇଥିଲେ ଏବଂ ଅନ୍ୟମାନେ ପୋଖରୀ ତୁଠରେ ଖେଳୁଥିଲେ । ତେଵେ କିଏ ଜାଣିଥିଲା ପୋଖରୀ ଖେଳ ତାଙ୍କ ପାଇଁ କାଳ ସାଜିବ ବୋଲି ।
ପୋଖରୀରେ ଶାମୁକା ଖୋଜୁଥିବାବେଳେ ପ୍ରଥମେ ତପଦୀପା ର ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲା । ଅନ୍ନପୂର୍ଣ୍ଣା, ତପଦୀପାର ହାତକୁ ଧରିବାକୁ ଯାଇ ନିଜେ ମଧ୍ୟ ପୋଖରୀରେ ବୁଡିଯାଇଥିଲା । ଏହା ଦେଖି ଅନ୍ୟ ପିଲାମାନେ ସଂଗେ ସଂଗେ ଦୌଡ଼ି ଯାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ସେମାନେ ପ୍ରଥମେ ତପଦୀପାକୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ କିନ୍ତୁ ଅନ୍ନପୂର୍ଣ୍ଣା ନମିଳିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ନପୂର୍ଣ୍ଣାଙ୍କୁ ପୋଖରୀରୁ ଉଦ୍ଧାର କରି ପିଲା ଦୁହିଁଙ୍କୁ ତୁରନ୍ତ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦାରୁଣ ଘଟଣା ପରେ ସାରା ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।



