କୋର୍ଟ ସାମ୍ନାରେ ବାପାଙ୍କୁ ଆକ୍ରମଣ କଲେ ୨ପୁଅ
ସୋର : ସମ୍ପତ୍ତି ବିବାଦର ଉଗ୍ରରୂପ। ରକ୍ତ ସଂପର୍କକୁ ଭୁଲିଗଲା ପୁଅ । ଜମିବାଡ଼ି ବିବାଦକୁ ନେଇ କୋର୍ଟ ସାମ୍ନାରେ ବାପାକୁ ହାଣି ଗୁରୁତର କରିଛନ୍ତି ୨ ପୁଅ । ସୋର କୋର୍ଟ ସମ୍ମୁଖରେ ଗୋଡ଼େଇ ଗୋଡ଼େଇ ବାପାଙ୍କୁ ୨ପୁଅ କଟୁରୀରେ ହାଣିଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅମାନେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ତୁଣ୍ଡପଡା ଗାଁର ଗଣେଶ ବାରିକଙ୍କ ବଡ଼ପୁଅ କିରଣ କୁମାର ବାରିକ ଓ ସାନପୁଅ କ୍ଷୀରୋଦ କୁମାର ବାରିକ। ସ୍ଥାନୀୟ ଲୋକେ ଉଭୟ ପୁଅଙ୍କୁ ପୋଲିସରେ ଜିମା ଦେଇଥିବାବେଳେ ଗୁରୁତର ବାପାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ସୂଚନାନୁସାରେ, ସୋର ପୌରପାଳିକା ତୁଣ୍ଡପଡା ଗାଁ ର ଗଣେଶ ବାରିକ ଗତ କିଛି ଦିନ ତଳେ କିଛି ଜମି ବିକ୍ରି କରି ଟଙ୍କା ରଖିଥିଲେ l ଏହାକୁ ନେଇ ବାପାଙ୍କ ସହ ୨ପୁଅଙ୍କ ବିବାଦ ଲାଗି ରହିଥିଲା । ଆଜି ମଧ୍ୟାହ୍ନରେ ବଡ଼ପୁଅ କିରଣ କୁମାର ବାରିକ ଓ ସାନପୁଅ କ୍ଷୀରୋଦ କୁମାର ବାରିକ ଗଣେଶଙ୍କୁ ସୋର କୋର୍ଟ ନିକଟକୁ ଡକାଇଥିଲେ । ସେଠାରେ ଜମିବାଡ଼ି ବିବାଦରୁ ବଚସା ହୋଇଥିଲା । ଦୁଇ ପୁଅ ବାପା ଗଣେଶଙ୍କୁ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । ଏଥିରେ ଗଣେଶ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି । ସାନପୁଅ କ୍ଷୀରୋଦକୁ ସ୍ଥାନୀୟ ଲୋକେ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବଡ଼ପୁଅ କିରଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।



