ବିଜେଡିରୁ ୨ ବିଧାୟକ ନିଲମ୍ବିତ
ଭୁବନେଶ୍ୱର : ବିଜେଡିରେ ହଡ଼କମ୍ପ । ଆକ୍ସନ ମୁଡ଼ରେ ସୁପ୍ରିମୋ । ଲଗାତାର ଦଳର ହେଉଥିବା ବିଶୃଙ୍ଖଳା ଦୃଷ୍ଟି ଗୋଚର ହେବା ପରେ ବଡ଼ ପଦକ୍ଷେପ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ନେଇ ୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ନବୀନ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରାଯାଇଛି । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଧାୟକ ଦଳ ବୈଠକରେ ଲଗାତାର ଅନୁପସ୍ଥିତ ରହିଥିଲେ । ଏହା ସହିତ ଦଳ ବିରୋଧୀ ମନ୍ତବ୍ୟ ଦେବାକୁ ବି ପଛାଉ ନଥିଲେ । ଏନେଇ ପୂର୍ବରୁ ସନ୍ତାନଙ୍କୁ ତାଗିଦ କରିଥିଲେ ନବୀନ ପଟ୍ଟନାୟକ । ମାତ୍ର ଏଥିରେ ନ ଚେତିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ।
ସେହିପରି ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇ ପାଟକୁରା ଟିକେଟ ପାଇଥିଲେ ଅରବିନ୍ଦ ମହାପାତ୍ର। ପ୍ରଥମ ଥର ଲାଗି ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଅରବିନ୍ଦ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ । ବିଜେଡି ବିଧାୟକ ଥାଇ ଦଳର ଶୃଙ୍ଖଳା ଗଣ୍ଡି ଭିତରେ ନରହିବାରୁ ଅରବିନ୍ଦଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ନବୀନ। କ୍ଷମତାରେ ଥିବାବେଳେ ଦଳୀୟ ଶୃଙ୍ଖଳା ଭଙ୍ଗ ନେଇ ଅନେକ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନବୀନ ପଟ୍ଟନାୟକ।
ସେପଟେ,ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ ଗଣେଶ୍ବର ବେହେରା । ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ସସ୍ପେଣ୍ଡ ନେଇ ରଖିଛନ୍ତି ପ୍ରତିକ୍ରିୟା । ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।



