ଗୋଟିଏ ଦିନରେ ୨ ଲକ୍ଷ ଗାଡ଼ିର ପଞ୍ଜିକରଣ ବାତିଲ୍, ଆହୁରି ୨୫ଲକ୍ଷ ଗାଡିର ବାତିଲ ହେବ ସମ୍ଭାବନା
ଭୁବନେଶ୍ବର : ବୈଧ ବୀମା, ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ତଥା ଫିଟ୍ନେସ୍ ନ ଥିବା ଗାଡ଼ି ମାଲିକଙ୍କ ବିରୋଧରେ ଆରମ୍ଭ ହୋଇଛି କଡ଼ା ପଦକ୍ଷେପ । ନଭେମ୍ବର ୧ ତାରିଖରେ ଗୋଟିଏ ଦିନ ମଧ୍ୟରେ ରାଜ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜୀକରଣ ବାତିଲ (ପରମାନେଟ୍ ଆର୍କାଇଭ୍) କରାଯାଇଛି । ଏଥିରେ ବାଣିଜ୍ୟିକ ଏବଂ ଘରୋଇ ଗାଡ଼ି ଅନ୍ତର୍ଭୁକ୍ତ । ଏହି ମର୍ମରେ ରାଜ୍ୟରେ ଗଡ଼ୁଥିବା ଆହୁରି ପ୍ରାୟ ୨୫ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ ହେବା ସମ୍ଭାବନା ରହିଛି ।
ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ସୂଚନା ମୁତାବକ, ଲକ୍ଷ ଲକ୍ଷ ଗାଡି ମାଲିକଙ୍କ ନିକଟକୁ ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମେସେଜ୍ ପଠାଯାଇଛି । ଗତ ୩ ବର୍ଷ ଧରି ନାନା କାଗଜପତ୍ର (ବୀମା, ପ୍ରଦୂଷଣ) ଅପଡେଟ୍ ଖିଲାପ କରିଥିବାରୁ ଏତାଦୃଶ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଏଥିରେ ଉଲ୍ଲେଖ ରହିଛି । ମେସେଜ୍ ଦେଖି ଗାଡି ମାଲିକଙ୍କ ହୋସ ଉଡି ଯାଇଛି ।
କେବଳ ଓଡିଶା ନୁହେଁ, ସାରା ଦେଶ(କର୍ଣ୍ଣାଟକ ବାଦ୍)ରେ ନିୟମ ଖିଲାପୀ ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାସ୍ତାରେ ଏପରି ଗାଡ଼ି ଚଳାଚଳ କରୁଥିବା ଦେଖାଗଲେ ତୁରନ୍ତ ତାହା ଜବତ କରାଯିବ । ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ କରି ଦୁର୍ଘଟଣା ତଥା ତତ୍ଜନିତ ମୃତାହତ ସଂଖ୍ୟା ହ୍ରାସ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ମୋଟା ଅଙ୍କର ଜୋରିମାନା ସହିତ ଚାଳକଙ୍କୁ ଗିରଫ ପାଇଁ ଅନେକ ବିଧିବ୍ୟବସ୍ଥା ରହିଛି । ତେବେ ଏହାକୁ ଅଧିକ କଡ଼ାକଡ଼ି କରିବାକୁ ଯାଇ ବାହନ ପୋର୍ଟାଲର ତଥ୍ୟ ଆଧାରରେ ବିଭିନ୍ନ ବର୍ଗର ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ହୋଇଛି ।
ଗଣମାଧ୍ୟମ ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ଜରୁରୀ କାଗଜପତ୍ର ନବୀକରଣ କରାଯାଇ ନଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ 'ଇ-ଡିଟେକ୍ସନ୍' (e-Detection) ପ୍ରଣାଳୀର ବ୍ୟବହାର କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ଲକ୍ଷ ଗାଡ଼ିର ଆରସି ରଦ୍ଦ ହୋଇଥିବା ବେଳେ, ଆଗାମୀ ଦିନରେ ଆହୁରି ପାଖାପାଖି ୨୫ ଲକ୍ଷ ଗାଡ଼ି ଉପରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଆରସି ବାତିଲ୍ ହୋଇଥିବା ଗାଡ଼ି ରାସ୍ତାରେ ଚାଲୁଥିବାର ଧରାପଡ଼ିଲେ ତାହାକୁ ସିଧାସଳଖ ଜବତ କରାଯିବ ।
ଅନ୍ୟପଟେ, ପରିବହନ ବିଭାଗର ଏହି ହଠାତ୍ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସାଧାରଣ ଗାଡ଼ି ମାଲିକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ନବୀକରଣ ସହ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଗାଡ଼ି ମାଲିକଙ୍କୁ ଅତିକମ୍ରେ ୬ ମାସର ପର୍ଯ୍ୟାପ୍ତ ସମୟ ଦେବାକୁ ବୁଦ୍ଧିଜୀବୀ ଓ ସଂଘ ପକ୍ଷରୁ ଦାବି କରାଯାଇଛି। ଆଗାମୀ ଦିନରେ ବାକି ୨୫ ଲକ୍ଷ ଗାଡ଼ିର RC ବାତିଲ୍ ହେବା ପୂର୍ବରୁ ସରକାର କୌଣସି ଆଶ୍ୱାସନା କିମ୍ବା ମୋହଲତ ଦେଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।




