ଭିଜିଲାନ୍ସ ଜାଲରେ ୨ ସରକାରୀ ଅଧିକାରୀ
ସୁନ୍ଦରଗଡ଼/କେଉଁଝର : ସୁଧୁରୁ ନାହାନ୍ତି ସରକାରୀ ବାବୁ । ଦିନକୁ ଦିନ ବଢି ଚାଲିଛି ଉପୁରି ଖାଇବା ନିଶା । ପ୍ରତିଦିନ ଖବର ଶିରୋନାମାରେ ରହୁଛନ୍ତି କିଛି ଦୁର୍ନୀତିଖୋର ସରକାରୀ ଅଧିକାରୀ । ତଥାପି ଲାଞ୍ଚ ଲୋଭରେ ବାବୁଙ୍କର ସେଥିପ୍ରତି ନିଘା ନାହିଁ । ଆଜି ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି ୨ଜଣ ସରକାରୀ ଅଧିକାରୀ । ସୁନ୍ଦରଗଡ଼ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ର କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକଙ୍କୁ ବାନ୍ଧିଛି ଭିଜିଲାନ୍ସ । ଜଣେ ଠିକାଦାରଙ୍କ ବିଲ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ । ତାଙ୍କର ସୁନ୍ଦରଗଡ଼ କାର୍ଯ୍ୟାଳୟ ସମେତ ସମ୍ବଲପୁର ସ୍ଥିତ ପୈତୃକ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।
ସୂଚନା ଅନୁଯାୟୀ, ଏକ ଠିକା କାମର ୨୧ ହଜାର ଟଙ୍କା ସିକ୍ୟୁରିଟି ରାଶି ଫେରସ୍ତ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ ଠିକାଦାରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଜି ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଘଟଣା ପରେ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିବାବେଳେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO) ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି । ଆଜି ପୂର୍ବାହ୍ନରେ ଧାନକିଣା ବାବଦକୁ ବିଲ କରାଇଦେବା ପାଇଁ ଚମ୍ପୁଆ ଲ୍ୟାମ୍ପସରେ ୨ଚାଷୀଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି । ତାଙ୍କର ଦୁଇ ବର୍ଷ ଚାକିରି ଥିଲା।



