ପାରାଦୀପରେ ପହଞ୍ଚିଲେ ନିଖୋଜ ୨ କ୍ରିୟୁ ମେମ୍ବର
ପାରାଦୀପ : ପାରାଦୀପରେ ପହଞ୍ଚିଲେ ସମୁଦ୍ରରେ ନିଖୋଜ ଓସେନ୍ ୱିନର ବୁଡି ବେଳେ ଉଦ୍ଧାର ହୋଇଥିବା ୨କ୍ରିୟୁ ମେମ୍ବର । ୨୪ଜଣ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ ୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ସେମାନଙ୍କୁ ପ୍ରଥମେ ବିଶାଖାପାଟଣା ପରେ କୋଷ୍ଟଗାର୍ଡ ଜାହାଜ "ଭରାଦ"ରେ ପାରାଦୀପ ଅଣାଯାଉଛି । ଉଦ୍ଧାର ଦୁଇ ଜଣଙ୍କଠୁ ଜାହାଜ ବୁଡ଼ି ସମୟର ପୂରା ଘଟଣା ସଂଗ୍ରହ କରିବା ସହିତ ଘଟଣା ଦିନ ବାବଦରେ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି । ଏନେଇ ADG କୋଷ୍ଟାଲ ସିକ୍ୟୁରିଟି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।
ଓସେନ ୱିନର୍’ ବୁଡ଼ିଯିବା ପରେ ସମୁଦ୍ର ମଝିରେ ଚାଲିଥିବା ବ୍ୟାପକ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ମଧ୍ୟରେ ଦୁଇ ଚୀନ୍ କ୍ରୁ ସଦସ୍ୟଙ୍କୁ ଲାଇଫ୍ ରାଫ୍ଟରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ନିକଟରେ ଥିବା ବାଣିଜ୍ୟିକ ଜାହାଜ MT AISOPOS ସେମାନଙ୍କୁ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ କୋଷ୍ଟଗାର୍ଡ ଜାହାଜକୁ ଅଣାଯାଇଥିଲା । ଏବେ ICGS ଭରାଦ ସେମାନଙ୍କୁ ନେଇ ପାରାଦୀପ ବନ୍ଦରରେ ପହଞ୍ଚିଛି ।
ଇମିଗ୍ରେସନ ବିଭାଗର ଯାଞ୍ଚ ପରେ ଜାହାଜ ଏଜେଣ୍ଟଙ୍କୁ ହସ୍ତାନ୍ତର ହେବେ ଏହି ଦୁଇ କ୍ରିୟୁ ସଦସ୍ୟ । ଉଭୟ ସଦସ୍ୟ ସୁସ୍ଥ ଥିବା ସୂଚନା ମିଳିଛି । ଏହି ୨ଚାଇନା ନାବିକଙ୍କୁ କୋଲକତା ଦେଇ ଚାଇନା ପଠାଯିବ । ଅନ୍ୟ ସଦସ୍ୟଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଚୀନ୍ ର ୨ଟି ଜାହାଜ ଓ ଭାରତୀୟ ନୈସେନାରର ଦୁଇଟି ଏୟାରକ୍ରାଫ୍ଟ ସହିତ କୋଷ୍ଟଗାର୍ଡର ଗୋଟିଏ ଜାହାଜ ।
ସୂଚନାନୁସାରେ, ପାନାମା ପତାକାବାହୀ MV Ocean Winner ଗତ ୨୦ତାରିଖରେ ପାରାଦ୍ବୀର ବନ୍ଦରରୁ ଜଳପଥରେ ଚୀନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଅଗଷ୍ଟ ୨୨ତାରିଖରେ MV Ocean Winner ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ପରେ ଜାହାଜଟି ପାରାଦୀପ ଉପକୂଳରୁ ପ୍ରାୟ ୨୩୦ରୁ ୨୭୬ ନଟିକାଲ୍ ମାଇଲ୍ ଦୂର, ବିଶାଖାପାଟଣାରୁ ପ୍ରାୟ ୭୦୦କିଲୋମିଟର ପୂର୍ବ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ସୂଚନା ମିଳିଥିଲା । ଜାହାଜରେ ଥିବା ୨୪ଜଣ କ୍ରିୟୁ ସଦସ୍ୟ ରହିଥିଲେ । ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ୍, ୩ ଜଣ ମ୍ୟାନମାର ଓ ଜଣେ ବାଂଲାଦେଶୀ ନାଗରିକ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ୨ଜଣ ଚୀନ ନାବିକଙ୍କ ଜୀବିତ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଉ ୨୨ଜଣଙ୍କର ପତ୍ତା ମିଳିପାରି ନାହିଁ । ନିଖୋଜ କ୍ରୀଉଙ୍କ ସନ୍ଧାନରେ କୋଷ୍ଟଗାର୍ଡ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଉଦ୍ଧାର କାର୍ଯ୍ୟରେ ଚାଇନାର ଦୁଇଟି ଜାହାଜ ଓ ନ୍ୟାଭି ର ଦୁଇଟି ଏୟାରକ୍ରାଫ୍ଟ ସହିତ କୋଷ୍ଟଗାର୍ଡ ର ଗୋଟିଏ ଜାହାଜ ନିୟୋଜିତ ହୋଇଛି । ସର୍ଚ୍ଚ ଅପରେସନ୍ ସମୟରେ ‘ଓସେନ ୱିନର୍’ର ଏକ ଲାଇଫ୍ ବୋଟ୍ ଖାଲି ଅବସ୍ଥାରେ ଠାବ ହୋଇଥିଲା ।




