ପହଁରା ଶିଖିବାକୁ ଯାଇ ୨ ମେଧାବୀ ଛାତ୍ରଙ୍କ ମୃତ୍ୟୁ
ବ୍ରହ୍ମପୁର : ପହଁରା ଶିଖିବା ହେଲା କାଳ । ପାଣିରେ ବୁଡି ୨ମେଧାବୀ ଛାତ୍ରଙ୍କ ସଲିଳ ସମାଧି । ଘଟଣା ଘଟିଛି ବ୍ରହ୍ମପୁର ସହର ଆଁକୁଲି ନୂଆସାହି ପୋଖରୀରେ । ମୃତ ଦୁଇ ଛାତ୍ର ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି (୧୬)। କିଛିଦିନ ତଳେ ୨ଛାତ୍ରଙ୍କର ମାଟ୍ରିକ ପରୀକ୍ଷା ଫଳ ବାହାରିଥିଲା ଏବଂ ଉଭୟେ ଭଲ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ମୃତ ବିଶ୍ୱଜିତ କେବଳ ପାଠରେ ନୁହେଁ ବରଂ ଜଣେ ଭଲ ଖେଳାଳି ଥିଲେ । ବିଶ୍ୱଜିତଙ୍କ ବାପା ବିଷ୍ଣୁ ପ୍ରସାଦ ପଣ୍ଡା ବ୍ରହ୍ମପୁର ବିଜେପିର ପୂର୍ବତନ ନଗର ସଭାପତି । ସେହିଭଳି ମୃତ ଅଭିଜିତ୍ ମରାଣ୍ଡିଙ୍କ ଘର ମୟୂରଭଞ୍ଜରେ । ସେ ବ୍ରହ୍ମପୁର ଖୋଡାସିଙ୍ଗି ଅଞ୍ଚଳରେ ପରିବାର ସହ ରହୁଥିଲେ । ପିଲାମାନଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ସୂଚନାନୁସାରେ, ବ୍ରହ୍ମପୁର ଡି’ପଲ ସ୍କୁଲରେ ପଢି ନିକଟରେ ମାଟ୍ରିକ ପରୀକ୍ଷାରେ ପାସ କରିଥିବା ବିଶ୍ବଜିତ, ଅଭିଜିତଙ୍କ ସମେତ ମୋଟ ୪ ଜଣ ସହପାଠୀ ରବିବାର ସକାଳୁ ଇଞ୍ଜିନିୟରିଂ ସ୍କୁଲ ଖେଳପଡିଆକୁ ଯାଇ ଖେଳାଖେଳି କରିବା ପରେ ଆଙ୍କୁଲି ନୂଆସାହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସେଠାରେ ସମସ୍ତେ ପହଁରା ଶିଖିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ବିଶ୍ବଜିତ ଓ ଅଭିଜିତ ପୋଖରୀର ଗଭୀର ପାଣିରେ ବୁଡି ଯାଇଥିବାବେଳେ ଅନ୍ୟ ଜଣେ ଛାତ୍ର ଅଳ୍ପକେ ବର୍ତ୍ତିଯାଇଥିଲେ। ସହପାଠୀ ବୁଡ଼ିଯାଉଥିବା ଦେଖି ଅନ୍ୟ ସାଙ୍ଗମାନେ ପାଟି କରିଥିଲେ। ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ଆଗ୍ନିକମାନେ ପହଞ୍ଚି ଅଣ୍ଡର ୱାଟର ବିଏ ସେଟ୍ ଦ୍ୱାରା ଖୋଜାଖୋଜି କରି ଉଭୟଙ୍କୁ ପାଣି ଭିତରୁ ବାହାର କରିଥିଲେ। ଉଭୟଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଶ୍ୱଜିତ୍ ଓ ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଉଭୟ ଛାତ୍ରଙ୍କ ଅକାଳ ମୃତ୍ୟୁରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଥିବାବେଳେ ସହପାଠୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ବୈଦ୍ୟନାଥପୁର ଥାନା ପୁଲିସ ଉଭୟ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।




