ଟ୍ରାକ୍ଟର ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ
ଭୁବନେଶ୍ୱର : ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ମୃତ ଜଣେ ଗୁରୁତର । ଗୁରୁତର ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଭଣ୍ଡାରିପଦା ନିକଟରେ । ମୃତକ ଦୁଇ ଜଣ ହେଲେ NAC ୩ ନମ୍ବର ୱାର୍ଡର ସେକ୍ ଆର୍ମାନ ଓ ସେକ୍ ଆଜମେର ଏବଂ ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସେକ୍ ସାବିର। ତାଙ୍କୁ ଭଦ୍ରକ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଉକ୍ତ ରାସ୍ତାରେ ଗାଡ଼ି ଯିବାଆସିବା ବନ୍ଦ ରହିଥିଲା । ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ଆଜି ସକାଳେ ଗାଁ ଭିତରକୁ ଏକ ଟ୍ରାକ୍ଟର ପଶି ଆସୁଥିବାବେଳେ ସାମ୍ନା ପଟୁ ଏକ ବାଇକ୍ ଆସି ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍ରେ ଥିବା ତିନି ଜଣ ଗୁରୁତର ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣଙ୍କ ଚିକିତ୍ସା ଜାରି ରହିଛି ।




