ପୃଥକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ
ସୁନ୍ଦରଗଡ଼ /ଅନୁଗୁଳ : ଆଜି ସକାଳେ ୨ଟି ସ୍ଥାନରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସକାଳେ ସୁନ୍ଦରଗଡ଼ ଏବଂ ଅନୁଗୁଳରେ ଏହି ଦୁର୍ଘଟଣା ଘଟିଛି । ସନ୍ଦରଗଡ଼ ଜିଲ୍ଲା ତଳସରା ଥାନା ବାଲିଶଙ୍କରା ବ୍ଲକ୍ କାର୍ଯ୍ଯାଳୟ ନିକଟ ମୁଖ୍ଯ ରାସ୍ତାରେ ଜଣେ ସ୍କୁଟି ଆରୋହୀଙ୍କୁ ପଛ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ ଧକ୍କା ଦେଇ ଘୋଷାରି ନେବାରୁ ଟ୍ରକ ଚକ ତଳେ ପେଷି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ଯୁ ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ଅଣ୍ଟା ପାଖରୁ ଅଲଗା ହୋଇଯାଇଥିଲା । ମୃତକ ହେଲେ ବାଲିଶଙ୍କରା ବ୍ଲକ୍ ବାବୁଡିହି ମିଞ୍ଜପଡ଼ାର ରାଜେଶ କିଣ୍ଡୋ (୩୮)। ଟ୍ରକଟି ସୁନ୍ଦରଗଡ଼ ପଟୁ ବାଲିଶଙ୍କରା ହୋଇ ରାଜସ୍ଥାନ ଯିବାବେଳେ ରାଜେଶଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ସେହିପରି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ ଉପରେ ଏକ ପିକଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି । ଆଜି ସକାଳେ ଟାଟା ଷ୍ଟିଲ ପ୍ଲାଣ୍ଟକୁ ଡିଉଟି କରିବା ପାଇଁ ବାଇକ ରେ ଯାଉଥିବାବେଳେ ବଅଁରପାଳ ଆଡୁ ଆସୁଥିବା ଏକ କାଠ ବୋଝେଇ ପିକଅପ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ସେ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଶକ୍ତି ସୌରଭଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।



