ରାସ୍ତା ପାର୍ଶ୍ୱରେ ଔଷଧ ଫିଙ୍ଗିବା ଘଟଣା,୨ ଏଏନଏମ ନିଲମ୍ବିତ
ବାଲେଶ୍ୱର : ରାସ୍ତାରେ ପାର୍ଶ୍ୱରେ ବିପୁଳ ଔଷଧ ଫିଙ୍ଗିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ । ୨ ମହିଳା ଏଏନଏମଙ୍କୁ ନିଲମ୍ବନ କଲେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର କୁଲିଗାଁ ଏଏନ୍ଏମ୍ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ସବସେଣ୍ଟର୍ ଏଏନ୍ଏମ୍ କବିତା ବେହେରାଙ୍କୁ ନିଲମ୍ବିତ ହୋଇଛନ୍ତି । ରେମୁଣା ମେଡ଼ିକାଲ୍ ଇନଚାର୍ଜ ଡାକ୍ତର ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ଗତ ୧୧ତାରିଖରେ, ଶ୍ରୀଜଙ୍ଗ-ରସାଳପୁର ରାସ୍ତାର କଣ୍ଟିଆଚିରା ନାଳ ତୁଣ୍ଡରା ରାସ୍ତା କଡ଼ରେ ଅଳିଆ ଗଦାରେ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କ ପାଇ ଉଦ୍ଦୀଷ୍ଟ ଥିବା ତଥା ଏକ୍ସପାୟରୀ ହୋଇନଥିବା ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରପ୍ ସହିତ ଶହଶହ ବଟିକା ଷ୍ଟ୍ରିପ୍ ପଡିଥିବାର ଦେଖିବାକୁ ମିଳିଥିଲା । ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଥିବା ବେଳେ ବ୍ୟାଚ ନମ୍ବର ସିଏଚଏସ-୫୦୦୬୫ ଥିଲା । ଔଷଧ ଗୁଡିକର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି । ସେପଟେ ଶିଶୁ ଏବଂ ଗର୍ଭବତୀ ପ୍ରସୂତୀ ମା'ଙ୍କ ପାଇଁ ରକ୍ତହୀନତା, ଭିଟାମିନ ଅଭାବ ଜନିତ ରୋଗ ପାଇଁ ବରଦାନ ସାଜୁଥିବା ଆଇରନ ଓ ଫଲିକ ଏସିଡ଼ ଔଷଧ ରାସ୍ତା ପାର୍ଶ୍ଵ ଅଳିଆ ଗଦାରେ ସରକାରୀ ଔଷଧ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏକ ଗଣମାଧ୍ୟମ ଦ୍ୱାରା ଔଷଧ ଫିଙ୍ଗା ଘଟଣା ସାମ୍ନାକୁ ଆସିବା ପରେ ମେଡ଼ିକାଲରେ ରୋଗୀ ଔଷଧ ପାଉ ନ ଥିବାବେଳେ କିଏ ଏବଂ କାହିଁକି ଏତେ ପରିମାଣର ସରକାରୀ ଔଷଧକୁ ଅଳିଆ ଗଦାରେ ଫିଙ୍ଗିଲା ଏନେଇ ପ୍ରଶ୍ନ ଉଠିଥିଲା ।




