୧୩ ଜିଲ୍ଲାରେ ଖୋଲିବ ୧୮ଟି ନୂଆ କୋର୍ଟ
ଭୁବନେଶ୍ୱର : ଏଣିକି ଗାଁ ପାଖରେ ମିଳିବ ନ୍ୟାୟ । ରାଜ୍ୟରେ ଖୋଲିବ ୧୮ଟି ନୂଆ ସିଭିଲ୍ ଜଜ୍ କୋର୍ଟ । ଓଡ଼ିଶା ହାଇକୋର୍ଟ ୧୩ ଟି ଜିଲ୍ଲାର ୧୮ଟି ନୂଆ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ)-କମ୍-ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଛି।
ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତରେ ରହୁଥିବା ଲୋକମାନଙ୍କୁ କୋର୍ଟ କାମ ପାଇଁ ଆଉ ଜିଲ୍ଲା ସଦର ମହକୁମାକୁ ଦୌଡ଼ିବାକୁ ପଡ଼ିବ ନାହିଁ । ନିଜ ଅଞ୍ଚଳ ପାଖରେ ହିଁ ସେମାନେ ଆଇନଗତ ସହାୟତା ପାଇପାରିବେ । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଦେଓଗଡ଼, ଢେଙ୍କାନାଳ, ଗଞ୍ଜାମ , ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ , ନବରଙ୍ଗପୁର, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ନୂଆ କୋର୍ଟ ସ୍ଥାପନ ହେବ । ଏନେଇ ଉଚ୍ଚ ନ୍ୟାୟାଳୟର ସ୍ବତନ୍ତ୍ର ଅଫିସର ମଳୟ କୁମାର ପ୍ରଧାନ ଜିଲ୍ଲାର ବିଚାରପତିଙ୍କୁ ଲେଖିଛନ୍ତି ।
ଏହି ୧୮ଟି କୋର୍ଟ ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ତିନିଟି କୋର୍ଟ ପାପଡ଼ାହାଣ୍ଡି, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ହେବ। ସେହିପରି ବରଗଡ଼ - ଆତାବିରା, ମୟୂରଭଞ୍ଜ - ସାମାଖୁଣ୍ଟା, କୁଲିଆନା, ଭଦ୍ରକ - ଭଣ୍ଡାରିପୋଖରୀ, ବଲାଙ୍ଗୀର - ଦେଓଗାଁ, ଦେଓଗଡ଼-ନାଇକୁଲ (ଟିଲେଇବାଣି),ଢେଙ୍କାନାଳ-ଓଡ଼ପଡ଼ା,ଗଞ୍ଜାମ-ରଙ୍ଗେଇଲୁଣ୍ଡା,ନୟାଗଡ଼ - ନୂଆଗାଁ, ଜଗତସିଂହପୁର - ବିରିଡ଼ି,ରଘୁନାଥପୁର, ପୁରୀର-ବ୍ରହ୍ମଗିରି, , ସୁନ୍ଦରଗଡ଼ - ସୁବଡେଗା, ଯାଜପୁର - ଦଶରଥପୁର, ସୁନ୍ଦରଗଡ଼ - ତାଙ୍ଗରପଲ୍ଲୀରେ ଏସବୁ କୋର୍ଟ ସ୍ଥାପନ ହେବ। ସେହିଭଳି କୋର୍ଟ ହଲ୍, ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ, ଅଲଗା ଲକ୍-ଅପ୍, ଅଫିସ୍, ପ୍ରିସାଇଡିଙ୍ଗ୍ ଅଫିସରଙ୍କ ଚେମ୍ବର୍ ଓ ଆବାସିକ ବ୍ୟବସ୍ଥା ତଥା କର୍ମଚାରୀଙ୍କ ପାଇଁ ଆବାସ ଉପଲବ୍ଧତା ବିଷୟରେ ସୂଚନା ୬ ନଭେମ୍ବର ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟ ଏସବୁ ଜିଲ୍ଲାର ବିଚାରପତିମାନଙ୍କୁ ନୂଆ କୋର୍ଟଗୁଡ଼ିକର ଅଧିକ୍ଷେତ୍ର ସୀମା ଉଲ୍ଲେଖ କରି ଡ୍ରାଫ୍ଟ ନୋଟିଫିକେସନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ କୋର୍ଟରେ ବହୁ ସଂଖ୍ୟାରେ ପେଣ୍ଡିଂ ବା ବିଚାରଧୀନ ଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବାରେ ଏହି ନୂଆ କୋର୍ଟଗୁଡ଼ିକ ସହାୟକ ହେବେ । ନୂଆ କୋର୍ଟ ଖୋଲିବା ଦ୍ୱାରା ଅଧିକ ସଂଖ୍ୟକ ବିଚାରପତି ଏବଂ କୋର୍ଟ କର୍ମଚାରୀ ନିଯୁକ୍ତି ପାଇବେ, ଯାହାଫଳରେ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ।




